ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଖରାଦିନ ହୋଇଥିବାରୁ ଜଳ ଯୋଗାଣ ବିଭାଗ ପକ୍ଷରୁ ଛୁଟି ବାତିଲ କରାଯାଇଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିଭାଗ ପକ୍ଷରୁ ଛୁଟି ବାତିଲ କରାଯାଇଛି । ସମସ୍ତ କର୍ମଚାରୀମାନଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଏନେଇ ପଞ୍ଚାତିରାଜ ଓ ନିଗମ ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ରାଜ୍ୟରେ ଖରାର ପ୍ରକୋପ ବଢୁଥିବାବେଳେ ବିଭିନ୍ନ ସ୍ଥାନରେ ପିଇବା ପାଣିର ଅଭାବ ଦେଖାଦେଉଛି । କିଛି ସ୍ଥାନରେ ନଳକୂପ ଅଚଳ ହୋଇପଡି ରହିଛି । ଯାହାଫଳରେକି ଲୋକମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗାଁ ଗହଳିରେ ଯେଉଁସ୍ଥାନମାନଙ୍କରେ ନଳକୂପ ନାହିଁ ସେହି ସ୍ଥାନମାନଙ୍କରେ ନଳକୂପ ବସାଇବା ପାଇଁ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଖରାର ପ୍ରକୋପ ଆଗକୁ ଆହୁରି ବଢିବା ନେଇ ଯେପରି ଜନସାଧାରଣ ଅସୁବିଧାରେ ନପଡନ୍ତି ସେଥିପ୍ରତି ଧ୍ୟାନ ରଖାଯାଇଛି । ପାନୀୟ ଜଳ ଯୋଗାଣ ପାଇଁ ୩ ଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ବିଶେଷକରି ଗ୍ରମାଞ୍ଚଳ ପାଇଁ ୧୯୧୬,ଓ ସହରାଞ୍ଚଳ ପାଇଁ ୧୫୫୩୫୯ ନମ୍ବର ଜାରି କରାଯାଇଛି । ସେହିପରି ନଳକୁପ ମରାମତି ପାଇଁ ୧୬୧ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।