ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ୫ଟି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନ ଠାରୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ମାନ ନେଉଛନ୍ତି । ଆଜି ଲୋକସେବା ଭବନରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇ-ଥାନା, ଡକ୍ୟୁମେଣ୍ଟସ୍ ମଡ୍ୟୁଲ ଓ ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ସେବାକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ସଚିବ, ପୁଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ଏହି ୩ଟି ସେବା ଫଳରେ ଲୋକ ମାନଙ୍କୁ ଆଉ ଥାନାକୁ ଦୌଡିବା ପାଇଁ ପଡିବ ନାହିଁ ।
ଇ-ଥାନା ମାଧ୍ୟମରେ ଏଣିକି କାହାର ଗାଡି ଚୋରି ହେଲେ ଏତଲା ଦେବା ପାଇଁ ଆଉ ଥାନାକୁ ଯିବାକୁ ପଡିବ ନାହିଁ । ମୋବାଇଲ ଫୋନ୍ ମାଧ୍ୟମରେ ହେଉ ଅଥବା ସହାୟତା ଆପ୍ ମାଧ୍ୟମରେ ଅନଲାଇନରେ ପୋଲିସ ନିକଟରେ ଅଭିଯୋଗ କରିପାରିବେ । ପୋଲିସ ଅନଲାଇନରେ ଏତଲାକୁ ପଞ୍ଜିକରଣ କରିବ । ଫଳରେ ଅଭିଯୋଗକାରୀଙ୍କୁ ନିଜ ଗାଡି ଚୋରିବାବଦ ଇନ୍ୟୁରାନ୍ସ ଦାବି କରିବା ସହଜ ହେବ ।
ସେହିପରି ମେଡିକୋ ଲିଗାଲ ଓପିନିଅନ୍ ସିଷ୍ଟମ ମାଧ୍ୟମରେ ଉଭୟ ପୋଲିସ ଓ ଡାକ୍ତରଙ୍କୁ ସହାୟତା ମିଳିବ ହେବନାହିଁ । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଲିସ ଏଣିକି ଅନଲାଇନରେ ରିକ୍ୟୁଜିସନ୍ ପଠାଇପାରିବ। ଏହାଫଳରେ ଡାକ୍ତରୀ ରିପୋର୍ଟ ପାଇବାରେ ଅଯଥା ବିଳମ୍ବ ହେବନାହିଁ ।
ସେହିଭଳି ସଡକ ଦୁର୍ଘଟଣାରେ କ୍ଷତିଗ୍ରସ୍ତଙ୍କ କାଗଜପତ୍ର ଠିକ କରିବା ପାଇଁ ଏକ ୱେବସାଇଟରେ ପ୍ରସ୍ତୁତ କରାଯାଇଛି । ଏହି ୱେବସାଇଟ ମାଧ୍ୟମରେ ସଡକ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ଓ ବୀମା କମ୍ପାନୀ ଆବଶ୍ୟକ ଦସ୍ତାବିଜ ଡାଉନଲୋଡ୍ କରିପାରିବେ । ଏହା ସହ ଏଥିରେ ଦୁର୍ଘଟଣାର ଏତଲା କପି, ଡ୍ରାଇଭିଂ ଲାଇସେନ୍ସ, ପୋଷ୍ଟମର୍ଟମ ରିପୋର୍ଟ, ଫାଇନାଲ ଫର୍ମ, ସ୍ପଟ ମ୍ୟାପ ଆଦି ସବୁ ତଥ୍ୟ ରହିବ ।