ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବିଦ୍ୟୁତ ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ବିଦ୍ୟୁତ ବିଲ ବକେୟା ଥିବା ଉପଭୋକ୍ତାଙ୍କର ବିଦ୍ୟୁତ କାଟ କରାଯାଉଛି । ଯେଉଁ ଉପଭୋକ୍ତାମାନେ ବର୍ଷବର୍ଷ ଧରି ବିଦ୍ୟୁତ ବିଲ ପୈଠ କରିନାହାନ୍ତି ସେମାନଙ୍କର ବିଦ୍ୟୁତ କାଟ କରାଯାଉଛି । ତେବେ ବିଦ୍ୟୁତ ବିଭାଗ ପକ୍ଷରୁ କିଛି ଦିନର ରିହାତି ପରେ ପୁଣି ଏହି ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି । ଗତକାଲି ଠାରୁ ସାଉଥକୋ ଓ ନେସ୍କୋ ପକ୍ଷରୁ ବିଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେହିପରି କାଲି ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିବ ।
ଗତକାଲି ବ୍ରହ୍ମପୁରରେ ୨୨ଟି ଟିମ ଗଠନ କରାଯାଇ ଯେଉଁ ଉପଭୋକ୍ତାଙ୍କର ବର୍ଷ ବର୍ଷ ଧରି ଅନେକ ଟଙ୍କା ବକେୟା ରହିଛି ସେହିସବୁ ଉପଭୋକ୍ତାଙ୍କୁ ଚିହ୍ନଟ କରାଯାଇ ବିଦ୍ୟୁତ କାଟ କରାଯାଉଛି । ଅପରପକ୍ଷେ ଯେଉଁ ଉପଭୋକ୍ତା ବକେୟା ବିଲର ୬୦ପ୍ରତିଶତ ବିଲ ପୈଠ କରିଦେଇଥିଲେ ସେମାନଙ୍କର ଲାଇଟ କଟାଯାଉନାହିଁ । ଏହି ପ୍ରକ୍ରିୟା ଆଜି ମଧ୍ୟ ଜାରି ରହିବ ବୋଲି ସାଉଥକୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସାଉଥ ଜୋନର ୮ଟି ଜିଲ୍ଲାରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ମିଳିଛି । ସମଗ୍ର ରାଜ୍ୟରେ ବକେୟା ବିଲ ରଖିଥିବା ଉପଭୋକ୍ତାଙ୍କର ଉପରେ ବିଦ୍ୟୁତ ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି । ସୂଚନାନୁଯାୟୀ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଅର୍ଥାତ ନର୍ଥ ଇଷ୍ଟ ଜିଲ୍ଲାଗୁଡିକରେ ମଧ୍ୟ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି । ଏଥି ନିମନ୍ତେ ୩୦ଟି ସ୍କ୍ୱାଡ ବାଲେଶ୍ୱର ଜିଲ୍ଲାରେ ଗଠନ କରାଯାଇ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ପ୍ରକ୍ରିୟା ଜାରି କରାଯାଇଛି । ବିଦ୍ୟୁତ କାଟ ଭୟରେ କିଛି ଉପଭୋକ୍ତା ବିଦ୍ୟୁତ ବିଲ ପୈଠ କରିଛନ୍ତି । ତେବେ ବିଦ୍ୟତ ବିଭାଗ ପକ୍ଷରୁ ବକେୟା ରଖିଥିବା ଉପଭୋକ୍ତାଙ୍କ ଠାରୁ କିଛି ଅର୍ଥ ଆଦାୟ କରାଯାଇଥିବା ବେଳେ ବାକି ଅର୍ଥ କିସ୍ତି ଆକାରରେ ଦେବା ପାଇଁ ପରାମର୍ଶ ଦିଆଯାଉଛି ।