ବ୍ରହ୍ମପୁର (ଏଟିଆର ବ୍ୟୁରୋ) : ଗଂଜାମରେ ପୁଣି ଫୁଟିଲା ଗୁଳି । ଏଥର କିନ୍ତୁ ଅପରାଧୀ ନୁହଁନ୍ତି ବରଂ ଅପରାଧୀକୁ ଗୁଳି ମାରି ଜଖମ କରିଛି ପୁଲିସ । ଗଂଜାମରେ ଢ଼େର ଦିନ ଆତଙ୍କ ଖେଳାଇଥିବା ଜୟକୁ ଏନକାଉଣ୍ଟର କର କରିଛି ଦିଗପହଣ୍ଡି ପୁଲିସ । କିଛି ଦିନର ନୀରବତା ପରେ ପୁଲିସର ପୁଣି ମିଶନ ଏନକାଉଣ୍ଟର ଏବେ ଅପରାଧୀଙ୍କ ନିଦ ହଜାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ, କେ. ନୂଆଗାଁ ଥାନା ବମକାଇଗାଁର ଜୟ ପ୍ରଧାନ ନାଁରେ ରହିଛି ୨୦ରୁ ଅଧିକ ମାମଲା । ହତ୍ୟା ଉଦ୍ୟମ, ଡକାୟତି ଭଳି ସଂଗୀନ ମାମଲାରେ ସଂପୃକ୍ତ ଜୟକୁ ଦରିବା ପାଇଁ ଦୀର୍ଘଦିନରୁ ଜାଲ ବିଛାଇଥିଲା ପୁଲିସ । ତେବେ ଆଜି ସକାଳେ ଜୟ ଦୋରାଣ୍ଡି ଚିଙ୍ଗୁଡିବନ୍ଧ ପାହାଡ ଦେଇ ଆସୁଥିବା ଖବର ପାଇଥିଲା ପୁଲିସ । ପଲସର ଗାଡିରେ ଆସୁଥିବା ଜୟକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଦିଗପହଣ୍ଡି ଥାନା ଅଧିକାରୀ ଦେବାଶୀଷ ମହାନ୍ତି ଓ ତାଙ୍କ ସହ କର୍ମଚାରୀମାନେ । ହେଲେ ପୁଲିସକୁ ଦେଖି ଆଖିବୁଜା ଗୁଳି ଚଳାଇଥିଲା ଜୟ । କିନ୍ତୁ ଥାନାଧିକାରୀ ଦେବାଶୀଷଙ୍କ ପାଲଟା ଗୁଳି ସିଧା ବାଜିଥିଲା ଜୟର ବାମ ଗୋଡରେ । ଫଳରେ ସେଠାରେ ତଳେ ପଡିଯାଇଥିଲା ଦୁର୍ଦ୍ଦାନ୍ତ ଅପରାଧୀ ଜୟ ପ୍ରଧାନ ।
ଆହତ ଅବସ୍ଥାରେ ଜୟକୁ ଦିଗପହଣ୍ଡି ପୁଲିସ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତୀ କରାଇଛି । ଜୟର ଗୁଳିରେ ଦିଗପହଣ୍ଡି ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ ୫ଜଣ ସହ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଜୟ ନିକଟରୁ ଗୋଟିଏ ମୋଟର ସାଇକେଲ, ଦେଶୀ ବନ୍ଧୁକ ଓ ଜୀବନ୍ତ ବୋମାକୁ ଜବତ କରିଛି ପୁଲିସ ।