କୋରାପୁଟ (ଏଟିଆର ବ୍ୟୁରୋ); କନ୍ଧମାଳ ନୟାଗଡ ପରେ କୋରାପୁଟରେ କାମ ଦେଲାନି ସରକାରଙ୍କ ଆମ୍ବୁଲାନ୍ସ ଯୋଜନା । ବ୍ୟବଛେଦ ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସୁଦ୍ଧା ପହଁଞ୍ଚି ପାରିନାହିଁ । ଶେଷରେ ମୃତକଙ୍କ ପରିବାର ଲୋକ ବ୍ୟବଛେଦ ପାଇଁ ବାଇକ ଯୋଗେ ମେଡିକାଲ ନେଇଥିଲେ । ତେବେ ଏଭଳି ଲଜ୍ଜଜ୍ନକ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଳକ ଅନ୍ତର୍ଗତ କାଉଡିଆଗୁଡା ଗାଁରେ । ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ବିଭିନ୍ନ ମହଲରେ ନିନ୍ଦା ହୋଇଛି ।
ସୂଚନା ଅନୁଯାୟୀ, ରବିବାର କାଉଡିଆଗୁଡାର ଜଣେ ଯୁବକଙ୍କ ବଜ୍ରଘାତରେ ମୃତ୍ୟୁ ହୋଇଥିଲା । ରାତିରେ ମୃତ୍ୟୁ ହୋଇଥିବାରୁ ପରିବାର ଲୋକ ବ୍ୟବଛେଦ ପାଇଁ ନେଇ ପାରିନଥିଲେ । ତାପର ଦିନ ଆମ୍ବୁଲାନ୍ସକୁ ଫୋନରେ ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ସିଧାସିଧା ଆସିବା ପାଇଁ ମନା କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ରକୁ ଫୋନ କରିଥିଲେ ସୁଦ୍ଧା ଆସିନଥିଲା ଆମ୍ବୁଲାନ୍ସ । ଶେଷରେ ନିରାଶ ହୋଇ ପରିବାର ଲୋକ ବାଇକ ଯୋଗେ ବ୍ୟବଛେଦ ପାଇଁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।
ପୂର୍ବରୁ ଏଭଳି ବହୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ଶବକୁ ଅସମ୍ମାନ କରାଯାଉଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ସୁଦ୍ଧା ଚେତୁନାହାଁନ୍ତି ସରକାର । ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଦାନ ମାଝୀ ଘଟଣାରେ ଓଡିଶାକୁ ବିଶ୍ୱ ଆଗରେ ଲଜ୍ଜା ସହିବାକୁ ପଡିଥିଲା । ତେବେ ଏହାପରେ ମଧ୍ୟ ଟ୍ରଲି ଏବଂ ସାଇକେଲରେ ଶବ ବୁହାହୋଇଥିବା ଦୃଶ୍ୟ ନଜରକୁ ଆସିଥିଲା ।