କଳାହାଣ୍ଡି (ଏଟିଆର ବ୍ୟୁରୋ) ; ଚାଷୀଙ୍କ ପିଛା ଛାଡୁନି ଚକଡା ପୋକ । ଚକଡା ରୋଗରେ ନଷ୍ଟ ହେଉଛି ଏକର ଏକର ଧାନ ଫସଲ । ନିଜର ଝାଳ ବୁହାଇ କଠିନ ପରିଶ୍ରମରେ ଫସଲ କରିଥାଏ ଚାଷୀ । ତେବେ ଏହି ଫସଲ ନଷ୍ଟ ହେଉଥିବା ଦେଖିବା ପରେ ସହି ନପାରି କୃଷି ବିଭାଗକୁ ଅଭିଯୋଗ କରିଥାନ୍ତି । କିନ୍ତୁ କ୍ଷତି ପୂରଣ ମିଳୁନଥିବା କାରଣରୁୁ ବିରକ୍ତ ହୋଇ ନିଜ ଫସଲରେ ନିଆଁ ଲଗେଇବା ପାଇଁ ବାଧ୍ୟ ହୋଇଥାନ୍ତି ଚାଷୀ । ଗତ ବର୍ଷ ଏହି ଚକଡା ପୋକ ପାଇଁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହେବା ଫଳରେ ବହୁ ଚାଷୀ ଧାନ ଫସଲ ପୋଡିଥିବାର ନଜର ଆସିଥିଲା । ତେବେ ଏହି ବର୍ଷ ଧାନ ଫସଲ ଆରମ୍ଭରୁ ସେହି ଘଟଣାର ପୁନରାବୃତ୍ତି ହେବାକୁ ବସିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଳା କର୍ଲାମୁଣ୍ଡା ବ୍ଳକ ଅଞ୍ଚଳର ରିଷିଡା ଗାଁରେ ।
ସୂଚନା ମୁତାବକ ଏହି ଗାଁରେ ୩୦ ଏକରରୁ ଅଧିକ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇ ଥିବାର ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଫଳରେ ଏମାନେ କୃଷି ବିଭାଗରେ ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ ପରିଦର୍ଶନ କରିବାକୁ ଆସିନଥିଲେ । ଏଣୁ ଏହି ଗ୍ରାମର ଜଣେ ଚାଷୀ ବିରକ୍ତ ହୋଇ ନିଜ ଫସଲରେ ନିଆଁ ଲଗାଇବାକୁ ବାଧ୍ୟ ହୋଇଥିଲେ । ନିଆଁ ଲଗାଇଥିବା ଚାଷୀ ଜଣଙ୍କ ହେଲେ ହିମାଂଶୁ ରଣା । ହିମାଂଶୁଙ୍କର ସର୍ବାଧିକ ୧ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯଦି କୃଷି ବିଭାଗ ସ୍ଥାନୀୟ ଅଞ୍ଚଳ ପରିଦର୍ଶନ ନ କରନ୍ତି କିମ୍ବା ଚାଷୀଙ୍କ କ୍ଷତିପୂରଣ ନ ମିଳେ ତେବେ ଏଠାକାର ସବୁ ଚାଷୀ ହିମାଂଶୁଙ୍କ ପରି ନିଜ ଫସଲରେ ନିଆଁ ଲଗାଇ ଦେବେ ବୋଲି ଚେତାବନି ଦେଇଛନ୍ତି । ତେବେ ପ୍ରଶ୍ନ ଉଠିଛି କୃଷି ବିଭାଗ ଏହି ଚାଷୀଙ୍କ କଥା ବୁଝିବ ତ ? ନାଁ ଅନ୍ୟ ଚାଷୀମାନେ ମଧ୍ୟ ବାଧ୍ୟ ହୋଇ ନିଆଁ ଲଗାଇବେ ।