ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ଦେଶ ଲକ ଡାଉନରେ ରହିଥିବାରୁ ସାଧାରଣ ଲୋକଟିଏ ଘରୁ ଗୋଡ କାଢୁନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଚାଷୀ ମାନେ ନିଜ ଫସଲ ବିକିବାରେ ଅକଳରେ ପଢୁଛନ୍ତି । ବଜାର ଅଭାବରୁ ଚାଷୀଙ୍କ ଫସଲ ଶଢି ପଚି ନଷ୍ଟ ହୋଇଯାଉଛି । ତେବେ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ପୁଣି ଏକ ଅଭିନବ ଚିନ୍ତା କରିଛନ୍ତି । କିଭଳି ଚାଷୀମାନେ ନିଜ ଫସଲକୁ ବିକ୍ରି କରିପାରିବେ ତା ଉପରେ ଗୁରୁତ୍ୱ ଦିଆଯାଇଛି । ସୂଚନା ଅନୁସାରେ ରାଜ୍ୟ ସରକାର ଏନେଇ ଏକ ସ୍ୱତନ୍ତ୍ର ୱେବସାଇଟ ଶୁଭାରମ୍ଭ କରିଛନ୍ତି । ଯାହାର ନାମ ରଖାଯାଇଛି ‘ଓଡ଼ିହର୍ଟିମାର୍କେଟିଂ ଡଟ୍ ଏନଆଇସି ଡଟ୍ ଇନ’ ।
ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା କୃଷି ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ କେଉଁଧରଣର ଫସଲ କେତେ ପରିମାଣ ଏବଂ ଏହା କେଉଁଠି ରହିଛି ତାହା ୱେବସାଇଟରେ ପ୍ରତ୍ୟେକଦିନ ଅପଲୋଡ଼ କରିବାକୁ କୁହାଯାଇଛି। ଏହା ଫଳରେ ଚାଷୀ ଉଚିତ ଦର ପାଇବା ସହିତ ବଜାରରେ ମଧ୍ୟ ପନିପରିବାର ଅଭାବ ରହିବ ନାହିଁ । ଜିଲ୍ଲାସ୍ତରର ବିଭାଗୀୟ ଅଧିକାରୀମାନେ ଜିଲ୍ଲାର ଚାଷୀ ଓ ବ୍ୟବସାୟୀଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଏଥିରେ ତାଲିକାଭୁକ୍ତ କରାଇବାକୁ କୁହାଯାଇଛି । ଗତକାଲି ଅପରାହ୍ନରେ କୃଷିମନ୍ତ୍ରୀ ଅରୁଣ ସାହୁ କୃଷି ଭବନରେ ଏହି ୱେବସାଇଟକୁ ଲୋକାର୍ପିତ କରିଛନ୍ତି ।