ନୂଆଦିଳ୍ଲୀ(ଏଟିଆର ବ୍ୟୁରୋ):ଆଜି ଦେଶବ୍ୟାପୀ ଚାଷୀମାନେ ଆନ୍ଦୋଳନ କରିବେ । ଏନେଇ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚକାଜାମ୍ ଆନ୍ଦୋଳନ ଘୋଷଣା କରିଛନ୍ତି । କିଷାନ ମୋର୍ଚ୍ଚା ପକ୍ଷରୁ ୪୦ ଟି କୃଷକ ସଂଗଠନକୁ ନେଇ ଗଠିତ ଏହି ଚକାଜାମ ଡାକରା ଦିଆଯାଇଛି ।
ଦେଶର ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥଗୁଡିକୁ ୩ଘଣ୍ଟା ଧରି ବନ୍ଦ ରଖାଯିବ । ୩ ଟି ଯାକ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାଷୀମାନଙ୍କର ଏକମାତ୍ର ଦାବି ହୋଇଥିବାରୁ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି । ଦିଲ୍ଲୀ ସୀମା ସିଂଘୁରେ ଏବେ ବି ଧାରଣାରେ ବସିଛନ୍ତ ଚାଷୀ ।
ଚାଷୀ ଆନ୍ଦୋଳନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସବୁ ସ୍ଥାନ ଉପରେ ଦୃଷ୍ଟି ରଖିଛି ପୋଲିସ । ଲାଲକିଲ୍ଲାରେ ଯେଭଳି ପରିସ୍ଥିିତି ସୃଷ୍ଟି ହୋଇଥିଲା ତାହା ଯେପରି ପୁର୍ନବାର ନ ହେଉ ତାହା ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯାଇଛି । ସେହିପରି ଚକାଜାମ ସମୟରେ ଆମ୍ବୁଲାନ୍ସ , ସ୍କୁଲ ବସ ଆଦିକୁ ଅଟକାଇ ଯିବ ନାହିଁ ବୋଲି କିଷାନ ମୋର୍ଚ୍ଚା କ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହୋରାଷ୍ଟ୍ରର ସିନ୍ଧୁ ଦୁର୍ଗ ଜିଲ୍ଲାକୁ ତାଙ୍କର ଗସ୍ତ ବାତିଲ କରିଛନ୍ତି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ୟୁପି , ହରିୟାଣା , ଏବଂ ଦିଲ୍ଲୀ ସରକାର ଚାଷୀ ନେତାଙ୍କ ସହ ଆଲୋଚନା କରିଛନ୍ତି ଏବଂ ସାଧାରଣ ଜନତାଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ନ କରିବା ପାଇଁ କହିଛନ୍ତି ।