ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଏବେ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଡିଜି , ଏସପି , ଜିଲ୍ଲାପାଳ ଆଦି ସମସ୍ତେ ନେବେ କରୋନା ଟୀକା ।ଟୀକା ନେଇ ସାରିବା ପରେ ନିଜ ଫଟୋକୁ ଟ୍ୱିଟ୍ କରି ପାରିବେ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି ।
ସରକାରୀ ଅଫିସ ମାନଙ୍କରେ କର୍ମଚାରୀମାନଙ୍କୁ ଟୀକା ପ୍ରଦାନ କରାଯିବ ବୋଲି କହିଥିଲେ । ଫେବ୍ରୁଆରୀ ୬ ତାରିଖରୁ ଏହି ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କୁହାଯାଇଥିଲା । ଏଥିପାଇଁ ୧ ଲକ୍ଷ ୯୭ ହଜାର କର୍ମଚାରୀଙ୍କୁ ଟୀକା ଦିଆଯିବ । ଆଜିଠାରୁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତିନି ସପ୍ତାହ ମଧ୍ୟରେ ଏହାକୁ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଅତିରିକ୍ତ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗର ପ୍ରଦୀପ ମହାପାତ୍ର ଟୀକା ନେଉଥିବା ସମୟରେ ନିଜ ଫଟୋ ସେୟାର କରିଛନ୍ତି । ଟୀକାକରଣ ନେଇ ଲୋକମାନଙ୍କ ମନରେ ଆଶା ସଞ୍ଚାର କରିବା ପାଇଁ ସମ୍ମୁଖ ଯୋଦ୍ଧାଙ୍କ ଆଧାରରେ ବରିଷ୍ଠ ଅଧିକାରୀମାନଙ୍କୁ ଟୀକା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
ବର୍ତ୍ତମାନ ଟୀକାକରଣ ପାଇଁ କୋଭାସିଲ୍ଡ ଓ କୋଭାକ୍ସିନ୍ ଟୀକା ରହିଛି ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ପୋଲିସ ବିଭାଗ ପାଇଁ ୭ଟି ସେସନ , ଏବଂ ରେଭିନ୍ୟୁ ବିଭାଗ ପାଇଁ ୪ ଟି ସେସନରେ ଟୀକା ପ୍ରଦାନ କରାଯିବ । ଭୁବନେଶ୍ୱରେ ୮ ରୁ ୧୦ ଦିନଧ୍ୟରେ ଟୀକାକରଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।
ରାଜ୍ୟକୁ ଆହୁରି ୧ ଲକ୍ଷ ୨୫ ହଜାର ଡୋଜ କୋଭାସିଲଡ ଟୀକା ପହଞ୍ଚିବ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଯାଇଛି ।