କେନ୍ଦୁଝର(ଏଟିଆର ବ୍ୟୁରୋ): ଜାତିଆଣ ଆକ୍ଷେପ ଓ ବିଭିନ୍ନ ମାମଲାରେ ଜଡିତ ଥିବା ବାପ-ପୁଅ ଆଜି କେନ୍ଦୁଝର ସେସନ୍ କୋର୍ଟରୁ ଚମ୍ପଟ ମାରିଛନ୍ତି । ସୂଚନା ଅନୁସାରେ ତେଲକେଇ ସରିଆଳି ଗାଁର ଦାସ ଖୁଣ୍ଟିଆ ଓ ତାଙ୍କ ପୁଅ ଅନୀଲ ଖୁଣ୍ଟିଆଙ୍କ ନାମରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଥିଲା । ତେବେ ସେମାନେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେଠାରେ ସେମାନଙ୍କୁ ସର୍ତ୍ତ ମୂଳକ ଜାମିନ ମିଳିବା ସହ ତଳ ସେସନ୍ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ବାପ-ପୁଅ ଆଜି ସେସନ୍ କୋର୍ଟରେ ହାଜର ହେବା ପାଇଁ ଯାଇଥିଲେ । ହେଲେ ସେଠାରେ ତାଙ୍କର ଜାମିନ ଆବେଦନକୁ ଜିଲ୍ଲା ଜର୍ଜ ଖାରଜ କରିଦେଇଥିଲେ ।
ତେବେ ଏହା ପୂର୍ବରୁ ବାପ-ପୁଅ ସୁଯୋଗ ଦେଖି କୋର୍ଟରୁ ଚମ୍ପଟ ମାରିଥିଲେ । ଏହା ପରେ ପୋଲିସ ଅନୀଲଙ୍କ ଗାଁରେ ଚଢାଉ କରି ତାଙ୍କୁ ଗିରଫ କରିଥିବା ବେଳେ ବାପା ଦାସ ଖୁଣ୍ଟିଆ ଏପର୍ଯ୍ୟନ୍ତ ଫେରାର ଅଛନ୍ତି । ଏହାକୁ ନେଇ କେନ୍ଦୁଝର ଜିଲ୍ଲାର ଏସପି ମିତ୍ରଭାନୁ ମହାପାତ୍ର କାର୍ଯ୍ୟରେ ଅବହେଳା ପାଇଁ ବାପ-ପୁଅ ଖସି ଯାଇଛନ୍ତି ବୋଲି ଜଣେ ଏସଆଇଙ୍କ ସମେତ ୩ଜଣ କନେଷ୍ଟବଲଙ୍କୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ଏସ୍ଆଇ ଦୁଷ୍କନ୍ତ ସିଂହ, କନେଷ୍ଟବଳ ମନୋରମା ସେଠୀ, ଶିବାନୀ ନାଏକ ଓ ରେଣୁବାଳା ମହାନ୍ତି।