ରାଉରକେଲା (ଏଟିଆର ବ୍ୟୁରୋ): ପାନ ଖାଇ ଏଣେତେଣେ ଛେପ ପକାଉଥିଲେ ସାବଧାନ । ନହେଲେ ଗଢିବାକୁ ପଡିବ ତଣ୍ଡ । ଏହିଭଳି କିଛି ନୂଆ ନିୟମ ରାଉରକେଲା ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି । ସୂଚନାନୁଯାୟୀ ଆଜିଠାରୁ ଆରଟିଓ କାର୍ଯ୍ୟାଳୟ ଭିତରେ ପାନ ଗୁଟଖା ଖାଇବା ପ୍ରତି ବାରଣ କରାଯାଇଛି । ଏହି ନିୟମଟି ଉଭୟ ଆରଟିଓ କର୍ମଚାରୀଙ୍କ ସହ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି । ତେବେ ଯଦି କେହି କାର୍ଯ୍ୟାଳୟ ପରିସରରେ ଗୁଟଖା କିମ୍ବା ପାନ ଖାଇ ଛେପ ପକାନ୍ତି ସେମାନଙ୍କ ଠାରୁ ଜୋରିମାନ ଗଣାଯିବ । କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଉଥିବା ବ୍ୟକ୍ତିଙ୍କୁ ସିସିଟିଭି ମାଧ୍ୟମରେ ଚିହ୍ନଟ କରାଯାଇ ତାଙ୍କଠାରୁ ଜୋରିମାନା ଆଦାୟ କରାଯିବ ।
ତେବେ ଏହି ନିୟମ ଲାଗୁ ହେବା ପୂର୍ବରୁ ଗତକାଲି ଜଣେ ବ୍ୟକ୍ତି କାର୍ଯ୍ୟାଳୟ ପରିସରରେ ପାନ ଛେପ ପକାଇବାରୁ ତାଙ୍କ ଠାରୁ ୫୦୦ଟଙ୍କାର ଜୋରିମାନ ଆଦାୟ କରାଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କଠାରୁ ରେଡକ୍ରସ ନାମରେ ରସିଦ କଟାଯାଇଛି । ଏହାସହ କାର୍ଯ୍ୟାଳୟ ନିକଟରେ ପାନ, ଗୁଟଖା ବିକ୍ର ଉପରେ ମଧ୍ୟ କଟକଣା ଲାଗୁ କରିବାକୁ ପଦକ୍ଷେପ ନିଆଯିବ ବୋଲି ପରିବହନ ଅଧିକାରୀ କହିଛନ୍ତି । ଏହି ନିୟମଟିକୁ ଆରଟିଓ କାର୍ଯ୍ୟାଳୟକୁ ପରିସ୍କାର କରିବା ଉଦ୍ଦେଶ୍ୟରେ ଲାଗୁ କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।