ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶିଶୁମାନଙ୍କ ବିରୋଧରେ ହେଉଥିବା ଯୌନ ଅପରାଧ ବିରୋଧ ମାମଲାର ଶୀଘ୍ର ବିଚାର କରିବା ପାଇଁ ରାଜ୍ୟରେ ନିର୍ମାଣ ହେବାକୁ ଥିବା ୨୪ଟି ପୋକସୋ କୋର୍ଟ ପାଇଁ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି କୋର୍ଟରେ ଜଣେ ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ଆଉ ୮ଜଣଙ୍କୁ ନିଯୁକ୍ତି କରାଯିବ । ଏନେଇ ଗୃହ ବିଭାଗ ପକ୍ଷରୁ ଆକାଉଣ୍ଟାଟ ଜେନରାଲଙ୍କୁ ଅବଗତ କରାଯାଇଛି । ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ ପ୍ରତି କୋର୍ଟରେ ଜିଲ୍ଲା ଓ ଦୌରା ଜଜ୍ ପାହ୍ୟାର ଜଣେ ବିଚାର ବିଭାଗୀୟ ଅଧିକାରୀ ରହିବା ସହ ଜଣେ ଷ୍ଟେନୋଗ୍ରାଫର, ଜଣେ ବେଞ୍ଚ କିରାଣୀ, ଜଣେ ବରିଷ୍ଠ କିରାଣୀ, ଜଣେ ବରିଷ୍ଠ ଟାଇପିଷ୍ଟ, ଜଣେ କନିଷ୍ଠ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ।
ଏହିଭଳି ଭାବେ ୧୯୨ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଗୃହ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି କୋର୍ଟ ଗୁଡିକ ଖୋର୍ଦ୍ଧା, ଅନୁଗୁଳ, ଜୟପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ବରଗଡ, ବଲାଙ୍ଗୀର, କଟକ, ଢେଙ୍କାନାଳ, ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, ଭବାନୀପାଟଣା, କେନ୍ଦ୍ରାପଡା, କେନ୍ଦୁଝର, ନବରଙ୍ଗପୁର, ନୟାଗଡ, ଫୁଲବାଣୀ, ପୁରୀ, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡରେ ଖୋଲିବାକୁ ଯାଉଛି । ଏହି କୋର୍ଟ ହେବା ଫଳରେ ଶିଶୁମାନଙ୍କ ସହ ଘଟାଉଥିବା ଜଘନ୍ୟ ଅପରାଧୀଙ୍କ ଉପରେ ତୁରନ୍ତ ଫଇସଲା ହୋଇ ସେମାନଙ୍କୁ ଦଣ୍ଡ ମିଳିପାରିବ ।