ବାରଙ୍ଗ,(ଏଟିଆର ବ୍ୟୁରୋ): ବାରଙ୍ଗ,(ଏଟିଆର ବ୍ୟୁରୋ): ହକି ବିଶ୍ୱକପ ଲାଗି ପୂରା ଟ୍ୱିନସିଟି ରହିଛି କଡ଼ା ସୁରକ୍ଷା ବଳୟ ଭିତରେ । ଏହି ନାରା ଆମର ନୁହେଁ ବରଂ କମିଶନରେଟ ପୁଲିସର । ହେଲେ ବାସ୍ତବତା ଯେ’ ପୂରା ଭିନ୍ନ ତାହା ଆଜି ବାରଙ୍ଗ ଅଞ୍ଚଳରେ ନଜରକୁ ଆସିଛି । ପୂରା କମିଶନରେଟ ପୁଲିସକୁ ଚ୍ୟାଲେଞ୍ଜ ଦେଇ ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ବନ୍ଧୁକ ଗର୍ଜିଛି । ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଦେହ ଓ ମୁଣ୍ଡରେ ୩ଟି ଗୁଳି ବାଜିଥିବା ଜଣାପଡିଛି । ରକ୍ତାକ୍ତ ଅବସ୍ଥାରେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମିଳିଥିବା ରିପୋର୍ଟ ଅନୁସାରେ,ଗୋଡିସାହି ଫାଣ୍ଡି ନିକଟରେ ଏହି ଗୁଳିମାଡ଼ ହୋଇଛି । ୨ଜଣ ଦୁର୍ବୃତ୍ତ ଏକ ନାଲିହୋଣ୍ଡା ଆକ୍ଟିଭା ଗାଡିରେ ଆସି ଅଚାନକ ଶ୍ରୀ ଶ୍ରୀ ୟୁନିଭରସିଟିରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ଗୁଳିମାଡ଼ ପଛରେ ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଁ ।
ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ଘଟଣାପରେ ଲୋକେ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ ପୁଲିସ ଉଚିତ ସମୟରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାମାନ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଗତକାଲି କମେଣ୍ଟ ମରାକୁ କେନ୍ଦ୍ରକରି କିଟରେ ତୁମୁଳକାଣ୍ଡ ହେବା ଆଉ ଆଜି ଶ୍ରୀଶ୍ରୀ ୟୁନିଭରସିଟି କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା ପ୍ରମାଣ କରୁଛି ପାଠ ପଢ଼ିବାକୁ ଆସୁଥିବା ଛାତ୍ରମାନେ ଧୀରେଧୀରେ ଅବାଟକୁ ଯିବା ଆରମ୍ଭ କଲେଣି । ଏହା ଉପରେ କମିଶନରେଟ ପୁଲିସ ଦୃଷ୍ଟି ଦେବାକୁ ଦାବି ହୋଇଛି ।