ପାରାଦୀପ (ଏଟିଆର ବ୍ୟୁରୋ): ସବୁଦିନ ଭଳି ଆଜି ବି ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ ଜଣେ ମତ୍ସ୍ୟଜୀବୀ । କାରଣ ସେ ମାଛ ମାରି ତାଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଏଥରକ ମାଛ ମାରିବା ତାଙ୍କ ପାଇଁ କାଳ ହୋଇଥିଲା । ସମୁଦ୍ର ମଝିରେ ମାଛ ମାରିଲା ବେଳେ କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ବି ମତ୍ସ୍ୟଜୀବୀଙ୍କ ମୃତ ଦେହକୁ ପାରାଦୀପ ପୋର୍ଟ ହସ୍ପିଟାଲରେ ଅଟକ ରଖାଯାଇଛି । ପରିବାର ଲୋକେ ବି ମତ୍ସ୍ୟଜୀବୀଙ୍କ ମୃତ ଦେହକୁ ଦେଖି ପାରୁନାହାନ୍ତି । ମୃତ ମତ୍ସ୍ୟଜୀବୀ ଜଣଙ୍କ ବାଲେଶ୍ୱର ଜିଲ୍ଲା ନରଣପୁର ଗ୍ରାମର ମାୟାଧର ମଲ୍ଲିକ ବୋଲି ଜାଣିବାକୁ ମିଳିଛି ।
ଖବର ମୁତାବକ, ଗତକାଲି ରାତିରେ ମାୟାଧର ତାଙ୍କ ଅନ୍ୟ ସାଥୀ ମାନଙ୍କ ସହ ମିଶି ଏକ ବୋଟ୍ ରେ ମାଛ ମାରିବାକୁ ଗଭରୀ ସମୁଦ୍ରକୁ ଯାଇଥିଲେ । ସେଠାରେ ସେମାନେ ମାଛ ମାରୁଥିବା ବେଳେ ଅଚାନକ୍ ବୋଟ୍ ଉପରକୁ କୋଷ୍ଟଗାର୍ଡ ପକ୍ଷରୁ ଗୁଳି ବର୍ଷଣ ହୋଇଥିଲା । ଏଥିମଧ୍ୟରେ ଗୁଳି ସିଧା ମାୟାଧରଙ୍କ ଦେହରେ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ଶଳା ଅଭିଯୋଗ କରିଛନ୍ତି ।