ଆଉ କେଇଟା ଦିନ ପରେ ଦଶହରା । ଧରାପୃଷ୍ଠରେ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏହି ଅବସରରେ ଗାଁରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତେ ଉତ୍ସବ ମୁଖର । ଦଶହରା ଉପଲକ୍ଷେ ବିଭିନ୍ନ ମନ୍ଦିର ଗୁଡିକୁ କେଉଁଠି ଲାଇଟ ତ ଆଉ କେଉଁଠି ତୋରଣ ମାଧ୍ୟମରେ ସଜାଯାଉଛି । ହେଲେ କଟକ ଚଣ୍ଡୀ ମନ୍ଦିରରେ ଏକ ଅଭିନବ ଉପାୟରେ ମନ୍ଦିରକୁ ସଜା ଯାଇଥିବାର ଦେଖା ଯାଇଛି ।
କୃତ୍ରିମ ଫୁଲରେ ମୁଖ୍ୟ ମନ୍ଦିର ସମେତ ପାଶ୍ୱ ମନ୍ଦିର ଗୁଡିକୁ ମଧ୍ୟ ସଜା ଯାଉଛି । ଏନେଇ କଟକର କିଛି ଯୁବ ଗୋଷ୍ଟି ଆଗେଇ ଆସିଛନ୍ତି । ଏହି ଫୁଲ ସଜାଇବାରେ ପାଖାପାଖି ୧ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଉଛି । ପୁରୀ ପରେ ଏହା ଦ୍ୱତୀୟ ମନ୍ଦିର ଭାବେ ଫୁଲରେ ସଜାଯାଉଥିବାର କୁହାଯାଉଛି ।
ଆସନ୍ତା କାଲି ଠାରୁ ମା କଟକ ଚଣ୍ଡିଙ୍କର ଷୋଡଶ ବେଶ ଆରମ୍ଭ ହେବ ।୧୯ ଦିନ ପର୍ଯ୍ୟନ୍ତ ମା କଟକ ଚଣ୍ଡି ବଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ବେଶ ମଧ୍ୟରେ ରାଜରାଜେଶ୍ୱରୀ, ଷେଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷମର୍ଦ୍ଦିନୀ, ଗଜଳକ୍ଷ୍ମୀ ଓ ଶ୍ୟାମାକାଳୀ ବେଶରେ ସଜାଇ ହେବେ ମା କଟକ ଚଣ୍ଡି । ତେବେ ଏହି ସାଜସଜକୁ ଦେଖିବା ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇ ଗଲାଣି ।