ଜଗତସିଂହପୁର ( ଏଟିଆର ବ୍ୟୁରୋ): ୧୯୯୯ ବାତ୍ୟାକୁ ଅଙ୍ଗେଅଙ୍ଗେ ନିଭାଇଥିବା ଜଗତସିଂହପୁର ଜିଲ୍ଲା ଏଥର ମଧ୍ୟ ପ୍ରଳୟଙ୍କରୀ ଫୋନିର ଫଣାରେ ଫସିଛି । ଫୋନିରେ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ବିରିଡି, ରଘୁନାଥପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ସବୁଠାରୁ ଅଧିକ ବଡବଡ ବୃକ୍ଷ ଭାଙ୍ଗି ପଡିଛି
ଯାହାଫଳରେ ସବୁଜ ବାନାନୀରେ ସବୁବେଳେ ହସୁଥିବା ଜିଲ୍ଲାରେ ଏବେ ଯୁଆଡେ ଦେଖିବ ସିଆଡେ ଖାଁ ଖାଁ । ସେହିଭଳି ବାତ୍ୟାକୁୂ ୭ ଦିନ ଯାଇଥିଲେ ମଧ୍ୟ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସ୍ଥିତି ସ୍ୱାଭାବିକ ହୋଇନାହିଁ । ବିଦ୍ୟୁତ ସେବା କଥା ତ ନ କହିଲେ ଭଲ । ଜଗତସିଂହପୁର ମେଡିକାଲ ପରି କେତେକ ସରକାରୀ ଅନୁଷ୍ଠାନ ଓ ମୁନିସପାଲଟିରେ ବିଜୁଳି ଆସିଥିବା ବେଳେ ଗାଁ ଗୁଡିକ ଆଜି ବି ଅନ୍ଧାରରେ ରହିଛି । ଯାହାକୁ ପଚାରିବ କେବେ ଲାଇନ ଆସିବ କିଏ ଆଜି କହୁଛି ତ କିଏ କାଲି । କାହା କଥାରେ ତାଳମେଳ ରହୁନି ।
ସେହିଭଳି ବିରିଡିରେ ସର୍ବାଧିକ କ୍ଷତି ହୋଇଛି । ଧଡା ସାହିରେ ପାଖାପାଖି ୫୦ ଖଣ୍ଡ ଚାଳଘର ଭାଙ୍ଗି ଯାଇଥିବାରୁ ସେମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିି । ସେପଟେ ଲୋକଙ୍କୁ ଯଥା ଶିଘ୍ର ବିଦ୍ୟୁତ ସେବା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ କାର୍ଯ୍ୟକୁ ମଧ୍ୟ ତ୍ୱରାନିତ କରାଯାଇଛି । ତଥାପି କେବେ ବିଜୁଳି ଆସିବ ତାହା ଅନିଶ୍ଚିତତା ଭିତରେ । ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସେମିତି ବ୍ୟାପକ କ୍ଷୟକ୍ଷତି ହୋଇନଥିବା କୁହାଯାଉଥିବା ବେଳେ ବିଦ୍ୟୁତସେବା କାହିଁକି ବିଳମ୍ବ ହେଉଛି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି ।