ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆଉ ନାହାନ୍ତି ବୈଷ୍ଣବ । ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଷ୍ଣବ ପରିଡାଙ୍କର ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶ୍ରୀ ବୈଷ୍ଣବ ପରିଡା ଦୀର୍ଘଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ ।
ତାଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଏବେ ଦୁଃଖର ଲହଡି ଖେଳିଯାଇଛି । ଭାଷା ଆନ୍ଦୋଳନ ପାଇଁ ବୈଷ୍ଣବଙ୍କର ଥିଲା ଅତୂଳନୀୟ ଅବଦାନ । ସେ ୨୦୧୦ ମସିହା ଜୁଲାଇ ମାସଠାରୁ ୨୦୧୬ ମସିହା ଜୁଲାଇ ମାସ ପର୍ଯ୍ୟନ୍ତ ରାଜ୍ୟ ସଭାର ସଦସ୍ୟ ହୋଇରହିଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ରାଜ୍ୟସଭାରେ ଓଡିଶା ପାଇଁ ପ୍ରତିନିଧିତ୍ୱ କରିଥିଲେ । ୧୯୪୧ ମସିହାରେ ଯାଜପୁରରେ ଜନ୍ମ ଗ୍ରହଣ କରିଥିବା ବୈଷ୍ଣବ ଓଡିଶାର ଜଣେ ବିଷିଷ୍ଠ ସାମାଜିକକର୍ମୀ ଭାବେ ବେଶ ଜଣାଶୁଣା ।
ସେ ଏକାଧାରରେ ଜଣେ ସାହିତ୍ୟିକ , ସ୍ତମ୍ଭକାର ମଧ୍ୟ ଥିଲେ । ପାଖାପାଖି ୧୦୦ ରୁ ଅଧିକ ପୁସ୍ତକ ତାଙ୍କ ଦ୍ୱାରା ଓଡିଆରେ ଅନୁବାଦ ହୋଇସାରିଛି । ଓଡିଶା ରାଜନୀତି ଓ ସାହିତ୍ୟକୁ ତାଙ୍କର ଅବଦାନ ଅତୂଳନୀୟ । ଓଡିଆ ଭାଷାକୁ ସରକାରୀ ମାନ୍ୟତା ଦେବା ଲାଗି ସେ ଭାଷା ଆନ୍ଦୋଳନର ପୁରୋଧା ସାଜିଥିଲେ । ରାଜନୈତିକ କ୍ଷେତ୍ରରେ ସେ ପ୍ରଥମେ ସିପିଆଇ ପାର୍ଟିରେ ଯୋଗ ଦେଇଥିବା ବେଳେ ପରେ ସମାଜବାଦୀ ପାର୍ଟି ଓ ଶେଷରେ ବିଜେଡିରେ ଯୋଗ ଦାନ କରିଥିଲେ । ତାଙ୍କ ମୃତ୍ୟୁରେ ଓଡିଶାର ଅନେକ ରାଜନୈତିକ ସ୍ତରର ବ୍ୟକ୍ତି ବୃନ୍ଦଙ୍କ ସମେତ ଅନେକ ସମାଜସେବୀ ତଥା ସାହିତ୍ୟିକ ଶୋକ ବ୍ୟକ୍ତ କରିଛନ୍ତି ।