ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଦିଲ୍ଲୀ ପୁଲିସ ହାତରେ ସିରିୟଲ କିଲର । କାରନାମା ବି ଅତି ସାଙ୍ଘାତିକ । ଦୁଷ୍କର୍ମ ଏବଂ ହତ୍ୟା ପୂର୍ବରୁ ସେ ପୀଡିତାଙ୍କ ଗୋଡ ଭାଙ୍ଗି ଦେଉଥିଲା । ଟାର୍ଗେଟରେ ରହୁଥିଲେ କେବଳ ନାବାଳିକା । ଖାସ କରି ୩ରୁ ୭ବର୍ଷର ପିଲାଙ୍କୁ ସେ ତା’ର ନିଶାନା ବନାଉଥିଲା । ଏଭଳି ଏକ ଭୟଙ୍କର ଅଭିଯୁକ୍ତକୁ ଶେଷରେ ଗିରଫ କରାଯାଇଛି । ଦିଲ୍ଲୀରେ ସେ ଏଭଳି ୭ଟି ହତ୍ୟା କରିଥିବା ବେଳେ ଅନ୍ୟ ସ୍ଥାନରେ ମଧ୍ୟ ୩ଜଣଙ୍କୁ ହତ୍ୟା କରିଛି ।
ଏ କଥା ଖୋଦ ଅଭିଯୁକ୍ତ ଜଣଙ୍କ ପୁଲିସ ଆଗରେ ସ୍ୱୀକାର କରିଛି । ଯାହା ଶୁଣିବା ପରେ ଖୋଦ ପୁଲିସ ବି ହତବାକ ହୋଇଯାଇଛି । ୨୦ବର୍ଷ ବୟସର ଏହି ଅଭିଯୁକ୍ତ ଯେ ଏଭଳି ନୃଶଂସ କାଣ୍ଡ ଭିଆଇପାରେ ତାହା ସମସ୍ତଙ୍କୁ ଚକିତ କରିଛି । ପୁଲିସ ରିପୋର୍ଟ ଅନୁସାରେ, ଆଜକୁ ୨ବର୍ଷ ହେବ ସେ ଏପରି କରି ଆସୁଥିଲା । ଚକୋଲେଟ ଏବଂ ଟଙ୍କା ଦେବାର ଲୋଭ ଦେଖାଇ ସେ ସେ ପିଲାଙ୍କୁ ନିଜ ଆଡକୁ ଟାଣୁଥିଲା ।
ତେବେ କିଛିଦିନ ହେବ ରହସ୍ୟଜନକ ଭାବେ ନାବାଳିକା ନିଖୋଜ ହେବା ନେଇ ଚାରିଆଡୁ ଅଭିଯୋଗ ଉଠିବା ପରେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଥିଲା । ପ୍ରଥମେ ପ୍ରଥମେ ତ’ ପୁଲିସ ବି ଏହି ଅଭିଯୁକ୍ତ ପାଖରେ ପହଞ୍ଚିବା ଲାଗି ନାକେଦମ ହୋଇଥିଲା । ଗୁରୁଗ୍ରାମ ଅଞ୍ଚଳରେ ଜଣେ ୩ବର୍ଷର ଝିଅ ନିଖୋଜ ଓ ଶେଷରେ ତାକୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ସମ୍ପର୍କରେ ସୂଚନା ପାଇଥିଲା ପୁଲିସ ।
ଶେଷରେ ଉତ୍ତରପ୍ରଦେଶର ଝାନ୍ସିରୁ ତାକୁ ଗିରଫ କରାଯାଇଛି । ସେପଟେ ପୁଲିସ ଅଭିଯୁକ୍ତକୁ ୮ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି । ଏଯାବତ ସେ କରିଥିବା ୩ଟି ନାରକୀୟ କାଣ୍ଡର ପ୍ରମାଣ ମିଳିଛି ।