ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି ଠକଙ୍କ ସଂଖ୍ୟା । ନିଆରା ଉପାୟ ଆପଣାଇ କରି ଚାଲିଛନ୍ତି ଠକେଇ । କେତେବେଳେ ପିକେଡିଏ ହୋଇ ତ ପୁଣି ଆଉ କେତେବେଳେ ସିଟିଓ ହୋଇ । ବଡ ବଡ ସରକାରୀ ଅଫିସରଙ୍କ ନାଁ ନେଇ ଠକେଇ କରି ଚାଲିଛନ୍ତି ଏହି ଠକ । ଯାହାର ଶିକାର ହେଉଛନ୍ତି ବଡ ବଡ ଦୋକାନୀ । ସେହିପରି ଭୁବନେଶ୍ୱର ସହୀଦ ନଗର ସ୍ଥିତ ଆଇଟିସିଟି ନାମକ ଏକ ଇଲୋକ୍ଟ୍ରୋନିକିସ ଦୋକାନର ମାଲିକ ଏହି ଠକାମୀର ଶିକାର ହୋଇଛନ୍ତି । ଠକେଇର ଶିକାର ହୋଇଥିବା ବ୍ୟବସାୟୀ ଜଣଙ୍କ ହେଉଛନ୍ତି ନିକୁଞ୍ଜ ଖେମାନୀ ।
ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସୌମ୍ୟଜିତ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ସରକାରୀ ବାବୁଙ୍କ ପରିଚୟ ଦେଇ ଦୋକାନରୁ ବିଭିନ୍ନ ଜିନିଷର କୋଟେସନ୍ ମାଗିଥିଲେ । ପୁଣି କୋଟେସନ୍ ଦେଖିସାରିବା ପରେ ବିଲିଂ କରି ଅଲଗା ଅଲଗା ସ୍ଥାନକୁ ପଠାଇବା ପାଇଁ ମଧ୍ୟ କହିଥିଲେ । ବିଲିଂ ହୋଇ ଜିନିଷ ପାର୍ସଲ ହୋଇ ସାରିବା ପରେ ସେହି ବ୍ୟକ୍ତି ଜଣଙ୍କ ଆଉ ଧରା ଛୁଆଁ ଦେଉ ନାହାନ୍ତି କି ଟଙ୍କା ବି ପେମେଣ୍ଟ କରୁ ନାହାନ୍ତି । ତାଙ୍କୁ ଫୋନ୍ କରିବାରୁ ମୁଁ ଏଠି ଅଛି ମୁଁ ସେଠି ଅଛି ବୋଲି କହି, ଖାଲି ବାଁ ବୁଲାଇବାରେ ସେ ବ୍ୟସ୍ତ । ଆଉ ଟଙ୍କାକୁ ନେଇ ଯୁକ୍ତି କରିବା ସହ ଦୋକାନୀଙ୍କୁ ଧମକାଇବାରେ ବି ପଛାଉ ନାହାନ୍ତି । ସବୁଠାରୁ ବଡ କଥା ହେଉଛି ଏବେ ଖୋଳତାଡ କରିବା ପରେ ଜାଣିବାକୁ ମିଳିଛି କି ପ୍ରକୃତରେ ବଡ ବଡ ସରକାରୀ ଅଫିସରଙ୍କ ପରିଚୟ ଦେଇ ଜିନିଷ ମଗାଉଥିବା ବ୍ୟକ୍ତିଙ୍କର କୌଣସି ପତା ମିଳୁ ନାହିଁ । ପ୍ରକୃତରେ ସେ ଏକ ବଡ ଠକ । ସେ ସରାକରୀ ବିଭାଗର ବିଭିନ୍ନ ଅଫିସରଙ୍କ ନାଁ ନେଇ ଏଭଳି ଠକେଇ କରୁଛି ବୋଲି ଜାଣିବାକୁ ମିଳିଛି । ଏହାସହିତ ସେ ପୂର୍ବରୁ ଭିନ୍ନ ଭିନ୍ନ ନାଁରେ ଅନେକ ଦୋକାନୀଙ୍କ ଠାରୁ ଏଭଳି ଲକ୍ଷାଧିକ ଟଙ୍କାର ଠକେଇ ମଧ୍ୟ କରିଥିବା ଜଣାପଡିଛି ।