ପୁରୀ(ଏଟିଆର ବ୍ୟୁରୋ): ଆଜି ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଛି । ଦ୍ୱିପହର ଧୂପ ସରିବା ପରେ ପୁଷ୍ପାଳକ ସେବକ ମାନେ ହାରୁ ବିଗ୍ରହଙ୍କୁ ଏହି ବେଶ କରିଛନ୍ତି । ଗଜ ଉଦ୍ଧାରଣ ବେଶରେ ମହାପ୍ରଭୁଙ୍କୁ ଖିର ଓ ଅମାଲୁ ଭୋଗ ଲାଗି ହୋଇଥାଏ । କଥାରେ ଅଛି କୁମ୍ଭୀର ଗଜରାଜଙ୍କୁ ଆକ୍ରମଣ କରିବାରୁ ଗଜରାଜ ନିଜର ପ୍ରାଣ ରକ୍ଷା କରିବା ପାଇଁ ମାହାପ୍ରଭୁଙ୍କ ପାଖରେ ଆକୁଲ ନିବେଦନ କରିଥିଲେ । ଆଉ କୁମ୍ଭୀରକୁ ଚକ୍ର ମାଧ୍ୟମରେ ସିରକୁ ଛେଦ କରି ଗଜରାଜଙ୍କୁ ବଞ୍ଚାଇଥିଲେ । ସେହି ପୌରାଣିକ ଆକ୍ଷାର ସ୍ମୃତିରେ ବିଗ୍ରହଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ ।
ଏହି ବେଶରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଚତୁଃହସ୍ତ ରୂପେ ଏବଂ ମା ସୁଭଦ୍ରା ତ୍ରିଭୁଜା ବିଶିଷ୍ଠ ହୋଇଥାନ୍ତି ।
ଚତୁଃହସ୍ତ ଧାରି ଶ୍ରୀ ଜଗନ୍ନାଥ ଗରୁଡ ଉପରେ ପଦ୍ମ ଆସନ ଭାଙ୍ଗିରେ ବସିଥିବା ପ୍ରର୍ଦଶିତ ହୋଇଥାନ୍ତି । ଶ୍ରୀ ଜଗନ୍ନାଥଙ୍କ ହସ୍ତରେ ସେଲ ଓ ଜରିରେ ତିଆରି ଶଙ୍ଖ, ଚକ୍ର , ଗଦା ଓ ପଦ୍ମ ଧରି ଶୋଭା ପାଇଥାନ୍ତି । ମହାପ୍ରଭୁ ବଳଭଦ୍ରଙ୍କ ହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୂସଳ ଶୋଭା ପାଏ । ସେହିଭଳି ମା ସୁଭଦ୍ରାଙ୍କ ହସ୍ତରେ ଦ୍ୱିଭୁଜା ଓ ଦୁଇ ପଦ୍ମ ଧରି ଶୋଭା ପାଇ ଥାନ୍ତି ।