ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଗଣେଶ ପୂଜା । ବିଘ୍ନହର୍ତାଙ୍କ ପୂଜା ପାଇଁ ଶ୍ରଦ୍ଧାଳୁ ଚାହିଁ ବସିଛନ୍ତି । କିନ୍ତୁ ଚଳିତ ବର୍ଷ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟର ଗୋଟେ ପରେ ଗୋଟେ ଜିଲ୍ଲା ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ନକରିବାକୁ ନିଷ୍ପତି ନିଆଯାଉଛି । ଗଞ୍ଜାମ ଜିଲ୍ଲାରେ ଗଣେଶ ପୂଜା ଅନୁମତି ନଥିବା ବେଳେ ଏବେ ପୁଣି ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ହେଲା ଗଣେଶ ପୂଜା । ଏହି ଜିଲ୍ଲାର ଲୋକେ ସର୍ବସାଧାରଣ ସ୍ଥାନ ବା ଅନୁଷ୍ଠାନରେ ଗଣେଶ ପୂଜା କରିପାରିବେ ନାହିଁ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ପୂର୍ବରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗଣେଶ ପୂଜା ହେବ ନାହିଁ ବୋଲି ଉକ୍ତ ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ବି ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।