ଗଞ୍ଜାମ (ଏଟିଆର ବ୍ୟୁରୋ); ଜିଲ୍ଲାପାଳ କାର୍ଯ୍ୟାଳୟ ଛାଡି ଧାନ ବିଲରେ । ତଳି ମାରିଲେ । କାଦୁଅ ବିଲରେ ପଶିଲେ । ସଫା ସୁତରା ଡ୍ରେସକୁ ଉପରକୁ ଟେକି ଚାଷୀଙ୍କ ସହ ବିଲରେ ଖଟିଲେ ଜିଲ୍ଲାପାଳ । ବିଶ୍ୱାସ ନହେଲେ ବି କଥାଟି ସତ । ତେବେ ଏଭଳି ମହାନ କାମ କରି ଏବେ ସୋସିଆଲ ମିଡିଆରେ ହିରୋ ବନି ଯାଇଛନ୍ତି । ହିରୋ ବନିଥିବା ଏହି ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲାପାଳଙ୍କ ଧାନ ରୂଆ ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆଉ ୟୁଜର୍ସମାନେ ଜିଲ୍ଲାପାଳଙ୍କୁ ବେଶ ପ୍ରଂଶସା କରୁଥିବା ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ ମଥୁରା ପଞ୍ଚାୟତର ବେଗୁନିଆପଡା ଗାଁକୁ ଅଭିଯୋଗ ଶୁଣାଣୀ ପାଇଁ ଯାଇଥିଲେ । ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ପୁଣିଥରେ କାର୍ଯ୍ୟାଳୟକୁ ଫେରୁଥିଲେ । ତେବେ ବାଟରେ ଆସୁଥିବା ବେଳେ ତାଙ୍କ ନଜରରେ ପଡିଥିଲେ ଚାଷୀ । ସେମାନେବିଲରେ କିପରି ଧାନ ତଳି ମାରୁଛନ୍ତି ଏବଂ ଧାଡି ଧାନ ରୋଉଛନ୍ତି ଜାଣିବା ପାଇଁ ଜିଲ୍ଲାପାଳ ଆଗ୍ରହ ହୋଇଥିଲେ ।
ଚାଷ ପ୍ରତି ଥିବା ଆଗ୍ରହକୁ ପ୍ରକଟ କରିବା ପାଇଁ ଗାଡି ରଖାଇ ସିଧା ବିଲରେ ପଶିଥିଲେ ବିଜୟ । ନିଜର ଧୋବଧାବଳିଆ ଡ୍ରେସକୁ ଉପରକୁ ଟେକି ଧାନ ବିଲରେ ପଶିଥିଲେ । ତେବେ ସେଠାକୁ ଯିବା ପରେ କୃଷକଙ୍କ ଠାରୁ କେମିତି ବିଲରେ ଧାଡି ଧାଡି କରି ଧାନ ରୋପଣ ହେଉଛି ପଚାରି ବୁଝିବା ପରେ ନିଜେ ଧାନ ଗଛ ରୋପଣ କରିଥିଲେ। ବିଲରେ ଚାଷ କରି ଜିଲ୍ଲାପାଳ ଖୁସି ହୋଇଥିବା ବେଳେ ବିଲ ମଝିରେ ଚାଷୀଙ୍କ ସହ ମନ ଭରି କଥା ହୋଇଥିଲେ। ଧାଡି ରୁଆ ଚାଷୀମାନେ କେଉଁଠୁ ଶିଖିଲେ ବୋଲି ମଧ୍ୟ ପଚାରି ବୁଝିଥିଲେ ଜିଲ୍ଲାପାଳ ।
ପଞ୍ଚମ ପାଳିରେ ନବୀନ ସରକାର ଆସିବା ପରେ ସବୁ ସରକାରୀ ଅଫିସରଙ୍କୁ ଆକ୍ଟିଭ ମୋଡକୁ ଆଣିଛନ୍ତି। ଲୋକଙ୍କ ପାଖକୁ ଯାଇ, ଲୋକଙ୍କ ସମସ୍ୟା ବୁଝି, ସେମାନଙ୍କ ସମସ୍ୟା ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀ ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ମୋ ଭାଗ୍ୟ ଲୋକମାନେ ଲେଖୁଛନ୍ତି ଆଉ ମୁଁ ଆପଣଙ୍କ ଭାଗ୍ୟ ଲେଖୁଛି’ ବୋଲି ନବୀନ ସବୁ ଅଫିସରଙ୍କୁ କହିଥିଲେ । ଆଉ ତାପର ଠାରୁ ସମସ୍ତ ଅଫିସର ଲୋକଙ୍କ ସମସ୍ୟାର ସାମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି। ତେବେ ଗଞ୍ଜାମ ଜିଲ୍ଲାପାଳ ଲୋକଙ୍କ ପାଖକୁ ଯାଇ, ତାଙ୍କ ସହ ମନଖୋଲା କଥା ହୋଇ ସେମାନଙ୍କ ସମସ୍ୟା ଜାଣିବାର ଏ ନିଆରା ଅନ୍ଦାଜକୁ ଚାରିଆଡୁ ପ୍ରଶଂସା କରାଯାଇଛି।