ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାଟ ଉପରେ ଲାଗିଲା କଟକଣା । ଏଣିକି ସକାଳ ୬ରୁ ସଂନ୍ଧ୍ୟା ୬ଯାଏଁ ଖୋଲା ରହିବ ହାଟ । ଏନେଇ ବିଏମସି ପକ୍ଷରୁ କଟକଣା ଲଗାଯାଇଛି । ଖବରନୁଯାୟୀ, କରୋନାର ଭୟ ସଭିଁଙ୍କ ମନରେ ବଢିବାରେ ଲାଗି ରହିଥିବା ବେଳେ ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଏହି ଭୟ ବଢଇବାରେ ଲାଗିଛି । ତେବେ ଏହି ମହାମାରିର କବଳରେ ଯେପରି ଅଧିକ ଲୋକ ପ୍ରଭାବିତ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେବେ ଏହି ସମୟରେ ସ୍କୁଲ, କଲେଜ, ମଲ, ସୁଇମିଂ ପୁଲ, ମନ୍ଦିର ଆଦି ସ୍ଥାନରେ କଟକଣା ଲଗାଇବା ସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ।
ତେବେ ଏହି ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ଦୋକାନ ଖୋଲା ରହିବା ନେଇ କୁହାଯାଇଥିଲା । କିନ୍ତୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ଲାଗି ଦୋକାନ ଗୁଡିକରେ ଲୋକଙ୍କର ଭିଡ ଦେଖିବାକୁ ମିଳୁଛି । ଏହାକୁ ଆଖି ଆଗରେ ରଖି ବିଏମସି ପକ୍ଷରୁ ଆଜି ବିଭିନ୍ନ ହାଟ ଉପରେ କଟକଣା ଲଗାଯାଇଛି । ଏହି କଟକଣା ଅନୁଯାୟୀ, ଭୁବନେଶ୍ୱରରେ ଚାଲୁଥିବା ବହୁ ହାଟ ସକାଳ ୬ଟାରୁ ଖୋଲାଯାଇ ସଂନ୍ଧ୍ୟା ୬ଟାରେ ବନ୍ଦ କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜଧାନୀରେ ଚାଲୁଥିବା ଅଧିକାଂଶ ହାଟ ସକାଳ ୬ଟାରୁ ଖୋଲାଯିବ।
ଏହା ସନ୍ଧ୍ୟା ୬ଟା ରେ ବନ୍ଦ ହେବ। ଏହି ପ୍ରମୁଖ ହାଟଗୁଡ଼ିକ ହେଲା ୟୁନିଟ ୧ ହାଟ, ୟୁନିଟ ୨ ମାର୍କେଟ, ସହିଦ ନଗର ମାର୍କେଟ, ରୁଚିକା ଡେଲି ମାର୍କେଟ ଓ ଓଲ୍ଡ ଟାଉନ ଡେଲି ମାର୍କେଟ। ଅନ୍ୟ ହାଟଗୁଡ଼ିକର ସ୍ଥିତି ଜଣାଇବାକୁ ଜୋନାଲ ଡିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ଅନ୍ୟ ହାଟ ଗୁଡ଼ିକରେ ବି କଟକଣା ଲଗାଯାଇଥିବା ନେଇ ବିଏମ୍ସି କମିଶନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି । ଏହି କଟକଣା ଆସନ୍ତା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଲାଗିବା ନେଇ ସୂଚନା ଦିଆଯାଇଛି ।