କେନ୍ଦୁଝର (ଏଟିଆର ବ୍ୟୁରୋ) : ଦୀର୍ଘ ତିନିମାସ ପରେ ଖୋଲିବାକୁ ଯାଉଛି ଘଟଗାଁର ପ୍ରସିଦ୍ଧ ମାଁ ତାରିଣୀ ମନ୍ଦିର । ମହାମାରୀ କରୋନା ପାଇଁ ସବୁ ଆଡେ ଲକଡାଉନ ଜାରି ରହିଥିବା ବେଳେ ଏବେ ଦ୍ୱିତୀୟ ଲହର କରୋନାର ପ୍ରକୋପ କମ ରହିଥିବାରୁ ଧୀରେ ଧୀରେ ଲକଡାଉନ ବ୍ୟବସ୍ଥାକୁ କୋହଳ କରାଯାଇଛି । ଲକଡାଉନ କାରଣରୁ ରାଜ୍ୟରେ ଥିବା ସମସ୍ତ ଦୋକାନ ବଜାର ଠାରୁ ଆରମ୍ଭ କରି ସମସ୍ତ ଦେବାଳୟକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ନାମା ଜାରି କରିଥିଲେ ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁକ୍ରମେ ରାଜ୍ୟରେ ଥିବା ସମସ୍ତ ଛୋଟ ବଡ ମନ୍ଦିରକୁ ବନ୍ଦ ରଖାଯାଇଥିଲା । ତେବେ ଅଗଷ୍ଟ ମାସ ଗାଇଡଲାଇନ ଅନୁସାରେ କରୋନାର ପ୍ରକୋପକୁ ଆଖିଆଗରେ ରଖି ମନ୍ଦିରଗୁଡିକୁ ଖୋଲିବାକୁ ଅନୁମୋତି ପ୍ରଦାନ କରିଛନ୍ତି । ଏହିକ୍ରମେ ଦୀର୍ଘ ତିନିମାସ ପରେ ଆଜି ଘଟଗାଁ ମାଁ ତାରିଣୀଙ୍କ ମନ୍ଦିର କୋଭିଡ କଟକଣା ମଧ୍ୟରେ ଖୋଲାଯାଇଛି । ମନ୍ଦିରରେ ସାଧାରଣ ଦର୍ଶନକୁ ଅନୁମତି ମିଳିଥିବା କୌଣସି ପ୍ରକାରର ଭୋଗରାଗ କରିବାକୁ ଅନୁମତି ଦିଆଯାଇନାହିଁ ।
ତେବେ ଆଜି ମନ୍ଦିର ଖୋଲିବା ମାତ୍ରେ ଶହ ଶହ ସଂଖ୍ୟାକ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି । ମନ୍ଦିର ମଧ୍ୟରେ ସାମାଜିକ ଦୂରତା ପାଳନ ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ମନ୍ଦିର ପରିସର ମଧ୍ୟରେ ୩୦ରୁ ଅଧିକ ଭକ୍ତ ରହିପାରିବେ ନାହିଁ । ଖାଲି ସେତିକି ନୁହେଁ ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଭକ୍ତଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସକାଳ ୭.୩୦ରୁ ୧୨.୩୦ ମଧ୍ୟରେ ଦର୍ଶନ କରିବାକୁ ସୁଯୋଗ ଦିଆଯିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟୟ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୭ଟା ଯାଏଁ ଦର୍ଶନ କରିବାର ସୁଯୋଗ ମିଳିପାରିବ ।