ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାବଧାନ, ଏଣିକି ଆଉ ଘରୋଇ ଗାଡି ଭଡାରେ ଲଗାଇ ପାରିବେ ନାହିଁ । ଯଦି କୌଣସି ବ୍ୟବସାୟିକ ଉଦ୍ଦ୍ୟେଶରେ ପ୍ରାଇଭେଟ ଲାଇସେନ୍ସ ପ୍ରାପ୍ତ ଗାଡିକୁ ଭଡାରେ ଲଗାନ୍ତି ତେବେ ସଂପୃକ୍ତ ଗାଡି ଓ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ । ଏନେଇ ପରିବହନ କମିଶନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପରିବହନ ବିଭାଗର ନିର୍ଦ୍ଦେଶାନୁଯାୟୀ, ଅନେକ ଘରୋଇ ଗାଡି ଗୁଡିକ ବ୍ୟବସାୟିକ ଉଦ୍ଦ୍ୟେଶରେ ଭଡାରେ ଲାଗୁଥିବାର ପରିବହନ ବିଭାଗର ନଜରକୁ ଆସିଛି । ଏହା ମୋଟରଯାନ ଆଇନ ୧୯୮୮ କୁ ଖୋଲା ଖୋଲି ଭାବେ ଉଲ୍ଲଂଘନ କରୁଛି । ସେଥିପାଇଁ ଯାତ୍ରୀ ପରିବହନ ପାଇଁ ପଞ୍ଜିକୃତ ହୋଇଥିବା ଗାଡି ହିଁ କେବଳ ଭଡାରେ ଲାଗି ପାରିବ । ଏହି ଗାଡି ଗୁଡିକର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବ ଏବଂ ଗାଡିର ସମସ୍ତ କାଗଜପତ୍ର ଯେପରି ଠିକ୍ ଠାକ ରହିଥିବ । ଯଦି କୌଣସି ବ୍ୟକ୍ତି ଏହି ନିୟମ ଭଙ୍ଗ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ମାମଲା ରୁଜୁ ହେବା ସହ ଇଚାଲାଣ ମଧ୍ୟ କଟାଯିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।