ପୁରୀ (ଏଟିଆର ବ୍ୟୁରୋ): ଶେଷ ହୋଇଛି କାର୍ତ୍ତିକ ବ୍ରତ ବା ଧର୍ମ ମାସ । ଦୀର୍ଘ ଏକ ମାସ ହେବ ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ମାନଙ୍କ ଭିଡ ଜମିଥିଲା । ଗତକାଲି କାର୍ତ୍ତିକ ପୂର୍ଣ୍ଣିମାରେ ହବିଷ୍ୟାଳି ମାନେ ମହୋଦଧି ଏବଂ ପୁଷ୍କରିଣୀରେ ସ୍ନାନ ସାରି ଡଙ୍ଗା ଭସାଇବ ସହ ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ସମାପନ କରିଛନ୍ତିି । ମାତ୍ର ବ୍ରତ ଶେଷ ହୋଇଯାଇଥିବାରୁ ଆଜି ଘର ମୁହାଁ ହୋଇଛନ୍ତି ହବିଷ୍ୟାଳି । ଏକ ମାସ ଭିତରେ ସେମାନଙ୍କ ମଧ୍ୟରେ ଏକ ପ୍ରକାରର ବନ୍ଧୁତା ହୋଇଯାଇଥିଲା । କିନ୍ତୁ ସେହି ସବୁ ବନ୍ଧୁତାକୁ ଛାଡି ଆଜି ଘରକୁ ଫେରିଯାଉଛନ୍ତି ।
ଓଡିଶାର କୋଣ ଅନୁକୋଣରୁ ଆସି ହବିଷ୍ୟାଳି ମାନେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ଚାରୋଟି ସ୍ଥାନରେ ଯାତ୍ରୀ ନିବାସ ଖୋଲା ଯାଇଥିଲା । ଏହାସହିତ ସେମାନଙ୍କର ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ମହାପ୍ରସାଦ ମଧ୍ୟ ଦିଆଯାଉଥିଲା । ଚଳିତ ବର୍ଷ ପଚିଶ ସହରୁ ଅଧିକ ହବିଷ୍ୟାଳି ପୁରୀରେ ରହି ହବିଷ କରିଥିବାର ସୂଚନା ମିଳିଛି ।