ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ୧୦ ଟି ଜିଲ୍ଲାରେ ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ଏହି ଜିଲ୍ଲାମାନେ ହେଲେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ କଟକ । ଜିଲ୍ଲାରେ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ବିଶେଷକରି ଉପକୂଳ ଓଡ଼ିଶା ଉପରେ ଘଡ଼ଘଡ଼ି ସହ ବର୍ଷାର ପ୍ରଭାବ ଅଧିକ ରହିବ ।
ବାକି ସ୍ଥାନରେ ବର୍ଷାର ପରିମାଣ କମ୍ ରହିବ । ଅନ୍ୟପଟେ ଦଶହରା ବେଳକୁ ପାଗ ଶୁଖିଲା ରହିବ ବୋଲି ଜଣାପଡିଛି । ତେତେକ ସ୍ଥାନରେ ଅପରାହ୍ନରେ ଘଡଘଡି ସହିତ ବର୍ଷା ହୋଇପାରେ । ଆଜି ଉତ୍ତର ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ରହିଛି । ସୂଚନାଯୋଗ୍ୟ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହେବ ।
ଅନ୍ୟପଟେ ରାଜ୍ୟରେ ମୌସୁମୀ ମାସ ଶେଷ ହୋଇଛି । ତଥାପି ରାଜ୍ୟରେ ଆଉ ୧୦ ଦିନରୁ ଅଧିକ ଦିନ ମୌସୁମୀ ବାୟୁ ସକ୍ରିୟ ରହିବ ବୋଲି ଅନୁମାନ କରାଯାଉଛି । ସେହିପରି ଏଥର ମୌସୁମୀ ବାୟୁ ରାଜ୍ୟରେ ବିଳମ୍ଭରେ ପ୍ରବାହିତ ହୋଇଥିଲେ ମଧ୍ୟ ଏଥର ରାଜ୍ୟରେ ବର୍ଷା ସ୍ୱାଭାବିକ ଠାରୁ ଅଧିକ ହୋଇଛି । ଜୁନ ୧ ଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ୯.୯ପ୍ରତିଶତ ଅଧିକ ବର୍ଷା ହୋଇଛି ।