ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସୁପ୍ରିମ କୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଗତ ସେପ୍ଟେମ୍ବର ୧୭ ଶୁଣାଣିରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ଲୋଡ଼ିଥିଲେ। ତେବେ ଗତ ୨୭ ତାରିଖରେ ଆମିକସ୍ କ୍ୟୁରି ରଣଜିତ କୁମାର ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ନୋଟ୍ ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି ।
ଏଥିରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ୟ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଥିବା ଜଣାପଡିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ରଙ୍କ ଦ୍ୱାରା ଗତ ମାସ ୩୦ରେ ଶ୍ରୀମନ୍ଦିର ମାମଲାରେ ଏକ ଅତିରିକ୍ତ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି ।
ସୂଚନାଯୋଗ୍ୟ ଶ୍ରୀମନ୍ଦିର ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମେଘନାଦ ପାଚେରୀ ଠାରୁ ୭୫ ମିଟର ମଧ୍ୟରେ ଥିବା ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଉଚ୍ଛେଦକୁ ବିରୋଧ କରି ସୁପ୍ରିମ କୋର୍ଟରେ ମାମଲା ଦାୟର ହୋଇଥିଲା । ତେବେ ଏହାକୁ ନେଇ ସୁପ୍ରିମକୋର୍ଟ ଆକିମସ କ୍ୟୁରୀ ପରିଦର୍ଶନ ପାଇଁ ନିର୍ଦେଶ ଦେଇଥିଲେ । ଏହି ଅବସରରେ ଆକିମସ କ୍ୟୁରୀ ପୁରୀ ଗସ୍ତ କରି ଘଟଣାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଛନ୍ତି ।