କନ୍ଧମାଳ,(ଏଟିଆରବ୍ୟୁରୋ): ତାଣ୍ଡବ ରଚୁଛି ବର୍ଷା । ଅତ୍ୟଧିକ ବର୍ଷା ଯୋଗୁ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ଘରଦ୍ୱାରରେ ଆଣ୍ଠୁଏ ପାଣି ତ’ ଆଉ କେଉଁଠି ବନ୍ୟାଜଳ ଏକର ଏକର ଚାଷ ଜମିରେ ମାଡିଯାଇଛି । ଯାହାକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଆଗକୁ କ’ଣ କରିବେ ଭାବି ଏବେ ମୁଣ୍ଡରେ ହାତ ଦେଇଛନ୍ତି । କନ୍ଧମାଳ ଜ଼ିଲ୍ଲା ତୁମୁଡୀବନ୍ଧ ବ୍ଲକ କୁର୍ତ୍ତିମଗଡ଼ ଗ୍ରାମ ପଞ୍ଚାୟତର ସ୍ଲିକି ଠାରେ ଲଗାଣ ବର୍ଷା ହେବା ଦ୍ୱାରା କଲଭର୍ଟ ଭାଙ୍ଗି ଯାଇଛି। ଯାହାଦ୍ୱାର କୁର୍ତ୍ତିମଗଡ଼ ମୁଖ୍ୟ ରାସ୍ତା ଠାରୁ ସିରଲା ଏବଂ ପାରିଗଡ଼ ଗ୍ରାମ ପଞ୍ଚାୟତକୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି।
କଲଭର୍ଟ ଭାଙ୍ଗିବା ପରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଭାବେ ବାଲି ବସ୍ତା ପକାଇ ଯାତାୟାତ ପାଇଁ ରାସ୍ତା କରାଯାଇ ଥିଲା.କିନ୍ତୁ ସେହି ରାସ୍ତା ଯାନବାହାନ ଯାତାୟାତରେ ଅସୁବିଧା ହେଉ ଥିବା ଅଞ୍ଚଳ ବାସୀ କହିଛନ୍ତି। ଅଞ୍ଚଳବାସୀ ରୋଗୀ,ଗର୍ଭବତୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଯାଇ ପାରୁନ ଥିବା ପ୍ରକାଶ କରିଛନ୍ତି । ତେଣୁ ଯଥା ସମ୍ଭବ ଏହି ସମସ୍ୟା ସମାଧାନ ପାଇଁ ପାରିଗଡ଼ ଏବଂ ସିରଲା ଗ୍ରାମ ପଞ୍ଚାୟତ ବାସୀ ଦାବି କରିଛନ୍ତି। ଏହି ପ୍ରବଳ ବର୍ଷାରେ ସିରଲା ଠାରେ ଏକର ଏକର ଚାଷ ଜମିରେ ବନ୍ୟା ଜଳ ମଧ୍ୟ ମାଡିଛି, ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ପ୍ରଶାସନ ପକ୍ଷରୁ କ୍ଷୟ କ୍ଷତିର ଆକଳନ କରାଯାଇ ତୁରନ୍ତ ସରକାରୀ ଅନୁଦାନ ପ୍ରଦାନ ପାଇଁ ଅଞ୍ଚଳର ଚାଷୀ ଦାବି କରିଛନ୍ତି ।