ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ କଳାବୈଶାଖିର ପ୍ରଭାବ ଦେଖିବାକୁ ମିଳୁଛି । ଫଳରେ ରାଜ୍ୟର କିଛି ଜାଗରେ ପ୍ରବଳ ବର୍ଷା ହେବା ସାଙ୍ଗରେ ବିଜୁଳି ଓ ଘଡଘଡି ମାରୁଛି । ତେବେ ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପରିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିଭଲି ରାଜ୍ୟରେ ୧୯ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପଣିପାଗ ବିଭାଗ ।ଘଣ୍ଟାକୁ ୩୦ରୁ ୪୦ କି.ମି ବେଗରେ ପବନ ବେହିବାର ସମ୍ଭାବନା ରହିଛି ।
ଅନ୍ୟପଟେ ଓଡ଼ିଶାକୁ ଠିକ୍ ସମୟରେ ଆସିବ ମୌସୁମୀ । ଉତ୍ତର ପଶ୍ଚିମ ଓ ଏହା ସଂଲଗ୍ନ ବଙ୍ଗୋପସାଗରରେ ଜୁନ୍ ୮ ତାରିଖବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ହେବ । ଯାହାକି ମୌସୁମୀକୁ ଟାଣି ଆଣିବ । ସମ୍ଭବତଃ ଜୁନ୍ ୯ରୁ ୧୧ ତାରିଖ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ । ଦକ୍ଷିଣ ପୂର୍ବ ଓ ଏହାର ସଂଲଗ୍ନ ପୂର୍ବ ମଧ୍ୟମ ଆରବସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇଛି । ଏହା ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।