ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ବାୟୁ ୂସକ୍ରିୟ ରହିଛି । ଆଜି ସକାଳୁ ପାଗ ଭଲ ରହିଛି । ତଥାପି ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଆଞ୍ଚଳିିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅନୁମାନ କରାଯାଉଛି । ଆଜି ପାଣିପାଗ ବିଭାଗ ପକ୍ଷରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି ।
ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସୂଚନା ଅନୁସାରେ ଆସନ୍ତା କାଲି ଠାରୁ ପାଗ ସାମାନ୍ୟ ରହିବ । ଶନିବାର ଠାରୁ ୪ ଦିନ ପର୍ଯ୍ୟନ୍ତ ଉପକୂଳ ଓଡିଶାରେ ପାଗ ଶୁଖିଲା ରହିବ । ଅନ୍ୟପଟେ ମହାନଦୀ ଉପର ମୁଣ୍ଡରେ ବର୍ଷାର ପରିମାଣ କମିବାର ନାଁ ନେଉନି । ଆଜି ହୀରାକୁଦ ଜଳ ଭଣ୍ଡାରରେ ଆଉ ୩ ଟି ଗେଟ ଖୋଲା ଯାଇଛି ।
ବର୍ତ୍ତମାନ ସମୁଦାୟ ଆଠଟି ଗେଟ ଦେଇ ଜଳ ନିସ୍କାସନ ହେଉଛି । ଆଜି ୨ ଲକ୍ଷ କ୍ୟୁସେକରୁ ଅଧିକ ଜଳ ନିସ୍କାସିତ ହେଉଛି । ଅନ୍ୟପଟେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ବନ୍ୟା ପରିସ୍ଥିତି ଦେଖା ଦେଇଛି । ଦୟା, ମକରା, ମାଲଗୁଣୀ ଓ ରଜୁଆ ନଦୀର ଜଳସ୍ଥର ବୃଦ୍ଧି ହେବା ଫଳରେ କଣାସ ବ୍ଲକର ୬ଟି ପଞ୍ଚାୟତର ୧୦ ଟି ଗାଁ ଜଳମଗ୍ନ ହୋଇଛି । ଏହା ସହ ଖୋର୍ଦ୍ଧା ଭଣ୍ଡୁଆ, ହରିପୁର , ମାଧୁଆ ଆଦି ଅନେକ ଗାଁରେ ପାଣି ପସିଯାଇଛି । ଫଳରେ ୪ ଦିନ ହେବ ଲୋକ ମାନେ ବିପଦ ସଂଙ୍କୁଳ ଅବସ୍ଥାରେ ରହୁଛନ୍ତି । ଗାଁରେ ପାଣି ପସିଯିବାରୁ ସ୍ଥାନୀୟ ଲୋକ ଗାଁରୁ ବାହାରି ପାରୁ ନାହାନ୍ତି ।