ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଗତ ୩ ଦିନ ହେଲା ରାଜ୍ୟରେ ଲାଗି ରହିଛି ବର୍ଷା । ଗତକାଲି ଅପରାହ୍ନଠାରୁ ଆଜି ଭୋର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ସକାଳ ୭ ଟା ୩୦ ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ବର୍ଷାର ପରିମାଣ ଅଧିକ ରହିବ । ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ରାଜ୍ୟର ୧୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, ପୁରୀ, ଝାରସୁଗୁଡା ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପଟେ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ପୁର୍ବରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଗତକାଲି ୧୫ଟି ଗେଟ ବନ୍ଦ କରାଯାଇଛି ।
ବର୍ତ୍ତମାନ ୫ଟି ଗେଟ ଦେଇ ୧ ଲକ୍ଷ ୦୧ ହଜାର ୦୯୮ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ସେହିଭଳି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ ହୋଇ ରହିଛି । ବନ୍ୟା ପାଣି ମାଡି ଶହ ଶହ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି । ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀରେ ବନ୍ୟାଜଳ ଲହଡି ଭାଙ୍ଗୁଛି । ପାଖାପାଖି ୮ ଜିଲ୍ଲା ବାହ୍ୟ ଜଗତରୁ ଗତକାଲି ଠାରୁ ବିଚ୍ଛିନ୍ନ ହୋଇଛି ।