ସମ୍ବଲପୁର ( ଏଟିଆର ବ୍ୟୁରୋ) : ଉପରମୁଣ୍ଡରେ ବର୍ଷାର ପରିମାଣ ବଢିବା ଫଳରେ ହୀରାକୁଦ ଜଳଭଣ୍ଡାରର ଗେଟ ଆସନ୍ତା ୧୪ ତାରିଖରେ ଖୋଲିବ ବୋଲି ସୂଚନା ମିଳିଛି । ୧୪ ତାରିିଖ ଦିନ ୧୧ ଟା ବେଳେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ସ୍ଥାନାନ୍ତରିତ ହେବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ କେତୋଟି ଗେଟ ଖୋଲାଯିବ ସେ ନେଇ କୌଣସି ସୂଚନା ମିଳିନାହିଁ । ବର୍ଷାର ପରିମାଣକୁ ଲକ୍ଷ୍ୟ କରି ୧୪ ତାରିଖ ଦିନ ହିଁ ସ୍ଥିର କରାଯିବ କେତୋଟି ଗେଟ ଖୋଲାଯିବ ।
ସୂଚନାଯୋଗ୍ୟ ମହାନଦୀର ଉପର ମୁଣ୍ଡରେ ବର୍ଷାର ପରିମାଣ ବଢୁଥିବାରୁ ହୀରାକୁଦକୁ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦରେ ଜଳସ୍ଥର ପରିମାଣ ବଢୁଥିବାରୁ ବନ୍ୟାଜଳ ନିୟନ୍ତ୍ରଣ ପାଇଁ ହୀରାକୁଦ ଡ୍ୟାମ ଗେଟ ଖୋଲାଯିବ । ହୀରାକୁଦ ଡ୍ୟାମ୍ ର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୧୦.୩୯ ଫୁଟ ରହିଛି । ବର୍ତ୍ତମାନ ଡ୍ୟାମକୁ ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଏବଂ ୧୬ ହଜାର ୯୨୯ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।
ତେବେ ଆସନ୍ତା ୧୨ ତାରିଖରେ ବଙ୍ଗୋପ ସାଗରରେ ହେବାକୁ ଥିବ ଲଘୁଚାପରେ ବର୍ଷାର ପରିମାଣ ବଢିବା ଆଶଙ୍କା ଥିବାରୁ ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ହେବ । ଏହାକୁ ଲକ୍ଷ୍ୟ କରି ଆସନ୍ତା ୧୪ ତାରିଖରେ ହୀରକୁଦ ଡ୍ୟାମ ଗେଟ ଖୋଲା ଯିବ ବୋଲି ଜଣାପଡିଛି ।