ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ହୀରାକୁଦ ଡ୍ୟାମର ରୂପରେଖ ବିକାଶ ଓ ଏହାର ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକ ବ୍ଲୁ- ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ହୀରାକୁଦ ଡ୍ୟାମର ନିମ୍ନଦେଶରେ ଥିବା ଦ୍ୱୀପାଞ୍ଚଳର ବିକାଶ କରିବା ପାଇଁ ସମସ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ରାଜ୍ୟ ସରକାର ଏହି ୩୦୦ ଏକରର ଦ୍ୱୀପାଞ୍ଚଳକୁ ମହୀଶୂରର ବୃନ୍ଦାବନ ଗାର୍ଡେନ ଶୈଳୀରେ ବିକାଶ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ହୀରାକୁଦ ଡ୍ୟାମର ବିକାଶ ଫଳରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆକୃଷ୍ଟ ହେବା ସହ ଏଠାକୁ ଆସିବାକୁ ପସନ୍ଦ କରିବେ । ଏହି ବ୍ଲୁ- ପ୍ରିଣ୍ଟ ବିଭିନ୍ନ ଭିତ୍ତିଭୂମି ବିକାଶ ନିମନ୍ତେ ପ୍ରସ୍ତୁତ କରାଯାଉଛି ।
ସୂଚନାନୁଯାୟୀ, ଗତମାସ ରେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାରଙ୍କୁ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ ଚିଠି ଲେଖି ପର୍ଯ୍ୟଟନ ଦୃଷ୍ଟିରୁ ବିକାଶ ହେବାକୁ ଥିବା ଏହି ମାଷ୍ଟର ପ୍ଲାନକୁ ଅନୁମୋଦନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ତେବେ ପର୍ଯ୍ୟଟନ ସଚିବଙ୍କ ଚିଠି ଉପରେ ପଦକ୍ଷେପ ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଏହି ମାଷ୍ଟର ପ୍ଲାନ ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ମାଷ୍ଟର ପ୍ଲାନ ଅନୁସାରେ ହୀରାକୁଦ ଡ୍ୟାମର ନିମ୍ନ ଦେଶରେ ଥିବା ୩୦୦ଏକରର ପରିମିତ ଅଞ୍ଚଳରେ ଗାର୍ଡେନ, କନଭେନସନ ସେଣ୍ଟର, ରେଷ୍ଟୁରାଣ୍ଟ୍ ଆଦି ନିର୍ମାଣ ପାଇଁ ପର୍ୟ୍ୟଟନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି।