ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଛୁଞ୍ଚି ହଜିଥାଉ କି’ କାହା ଘରୁ ଲୁଟ । ଥାନାକୁ ଅଭିଯୋଗ ଆସିଲା ମାତ୍ରେ ମୁଣ୍ଡ ପୂରାଇବାଟା ଥୟ । କମିଶନରେଟ ପୁଲିସରେ ଜଣେ ଏସିପିଙ୍କ ଏଭଳି ମାତ୍ରାଧିକ ହସ୍ତକ୍ଷେପ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଥାନା ଅଧିକାରୀଙ୍କୁ କାମ ଚଳା ଭାବେ ରଖିଦେଇ ସବୁଥିରେ ଆଗଭରା ଦେଖାଉଛନ୍ତି ଏସିପି । ଯାହାକୁ ନେଇ ଏବେ କେବଳ ଥାନାର ବାକି କର୍ମଚାରୀ ନୁହଁନ୍ତି ବରଂ ସାଧାରଣ ଲୋକେ ବି ଅସନ୍ତୋଷ ବ୍ୟକ୍ତ କଲେଣି । ଏ କଥା ନୁହେଁ ଯେ, ଏନେଇ ବରିଷ୍ଠ ଅଧିକାରୀଙ୍କ ପାଖରେ କୌଣସି ଖବର ପହଞ୍ଚୁନି ।
ହେଲେ ଅସଲ କଥା ହେଉଛି ଏସିପି ବାବୁଙ୍କ କାଳେ ରାଜନୈତିକ ଲିଙ୍କ ଭଲ ଯୋଗୁ ବଡ଼ବାବୁ ବି ପାଟି ଖୋଲିବାକୁ ସାହାସ ଜୁଟାଇ ପାରୁନଥିବା ଚର୍ଚ୍ଚା ହେଉଛି । ସେପଟେ ଯେଉଁଠି ଶିଳ ଶିଳପୁଆ ଗଗନରେ ଉଡୁଛି ସେଠି ଶିମିଳି ତୁଳା ଭଳି ଆଇଆଇସି ମଧ୍ୟ ଏସିପିଙ୍କ ପ୍ରକୋପ ଦେଖି ବିଚରା ନାକକାନ ମୋଡି ଚୁପ ରହୁଛନ୍ତି । ସବୁଠୁ ବଡ଼ କଥା ହେଉଛି ଆଇଆଇସିଠୁ ଏସିପି ହେବା ଯାଏଁ ବାବୁ କେବଳ ରାଜଧାନୀରେ ହିଁ ରହିଛନ୍ତି । ଆଇନ ଅନୁସାରେ ଏଥିପାଇଁ ଏକ ନିର୍ଦ୍ଧାରିତ ସମୟ ରହିଛି । ଯାହାକୁ ଏସିପିଙ୍କ କ୍ଷେତ୍ରରେ ଦଳିମକଚି ଦିଆଯାଇଛି । ଏହଠୁ ବି ଅତି ସଂଗିନ ଘଟଣା ହେଉଛି ଯେ, ଏସିପିଙ୍କ ଅଧିନରେ ୩ଟି ଥାନା ରହିଥିଲେ ବି ବାବୁଙ୍କର କେବଳ ଗୋଟିଏ ଥାନାର ମୋହ ଛାଡୁନି ।
ଏହାପଛରେ କାହାର ଓ କେଉଁ ସ୍ୱାର୍ଥ ଲୁଚି ରହିଛି ତାହା ଯଦିଓ ସ୍ପଷ୍ଟ ହେଉନାହିଁ କିନ୍ତୁ ଢ଼େରଦିନ ହେବ ଗୋଟିଏ ଜାଗାରେ ରହିଯିବା ଯୋଗୁ ଏସିପିଙ୍କ ଏଭଳି ରୋବାବ ବାହାରୁଥିବା ସ୍ପଷ୍ଟ ହେଉଛି । କାହାରିକୁ ସେ ଆଉ ଖାତିର କରୁନାହାନ୍ତି । ଫଳସ୍ୱରୂପ ଅଯଥା ହଇରାଣ ହରକତ ହେଉଛନ୍ତି ସାଧାରଣ ଲୋକ । କମିଶନରେଟ ପୁଲିସର ରେକର୍ଡ କୁ ଦେଖିଲେ କେବଳ ଏହି ଜଣେ ଅଫିସର ନୁହନ୍ତି ବରଂ ଅନେକ ଅଫିସର ଗାଦିମାଡି ବସିଛନ୍ତି । ଏଇଠି ଏଇଠି ୩ଟି ପୁଲିସ କମିଶନର ବଦଳି ସାରିଥିଲେ ବି ଏମାନଙ୍କ ଦେହରେ କିନ୍ତୁ ବଦଳିର ଛାଟ ପଡୁନାହିଁ ।
ଜିଲ୍ଲା ବାହାରକୁ ଯିବା କଥା ତ’ ଦୂରେ ଥାଉ କମିଶନରେଟରେ ଭୁବନେଶ୍ୱରରୁ କଟକକୁ ବି ଏମାନଙ୍କୁ ପଠାଯାଇପାରୁନାହିଁ । ଯଦି ଏଭଳି ଲାଗିରହେ ତେବେ ବିଚରା ତଳିଆ କର୍ମଚାରୀମାନେ କେବଳ ବୋଲକରା ହୋଇ ରହିଯିବେ । ତେଣୁ ବେଳ ଥାଉ ଥାଉ ବରିଷ୍ଠ ଅଧିକାରୀମାନେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।