ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚାଲିଛି ହକି ଫିବର । ସବୁଆଡେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜଧାନୀର କେଉଁଠି ଏହାକୁ ନେଇ ଖାଦ୍ୟ ଉତ୍ସବ ହେଉଛି ତ ଆଉ କେଉଁଠି ସଙ୍ଗୀତ ପରିବେଶଣ ହେଉଛି ଏବଂ କେଉଁଠି ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି । ତେବେ ଆଜି ସ୍ଥାନୀୟ ଜୟଦେବ ଭବନରେ କୁନି ଚିତ୍ରକରଙ୍କ ତୂଳିରୁ ଅଙ୍କା ଯାଇଥିବା ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ଏଭଳି ଏକ ପ୍ରତିଭାବାନ କଳା ପ୍ରଦର୍ଶନୀକୁ ଆୟୋଜନ କରିଛନ୍ତି ‘ଇଟିକିଲି ମିଟିକିଲି’ ।
ଏହି ଚିତ୍ର ସବୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ର ଛାତ୍ରୀ ଭାଗ ନେଇ ଏହି ଚିତ୍ର ସବୁ ଆଙ୍କିଛନ୍ତି । ପ୍ରଦର୍ଶିତ ହୋଇଥିବା ଫଟୋ ମଧ୍ୟରେ ୧୧୨ଜଣ ଛାତ୍ରୀଙ୍କ ଦ୍ୱାରା ଅଙ୍କା ଯାଇଥିବା ଫଟୋ ପ୍ରଦର୍ଶିତ ହୋଇଯାଇଛି । ତେବେ ଏହି ଚିତ୍ରରେ ହକି ବଲ ଠାରୁ ଆରମ୍ଭ କରି ହକି ଷ୍ଟିକ ଏବଂ ଖେଳ ସମୟର କିଛି ଦୃଶ୍ୟ ମଧ୍ୟ ଅଙ୍କା ଯାଇଥିବା ଦେଖିବାକୁ ମିଳିଛି । ଜୟଦେବ ଭବନରେ ଆୟୋଜିତ ହୋଇଥିବା ଏହି ଚିତ୍ର ପ୍ରଦର୍ଶନକୁ ଉଦଘାଟନ କରିବା ପାଇଁ ମୁଖ୍ୟ ଅତିଥୀ ଭାବରେ ଯୋଗ ଦେଇଥିଲେ ରାଜ୍ୟ ସଭା ସଂସଦ ତଥା ଇଷ୍ଟର୍ଣ୍ଣ ମିଡିଆର ମାଲିକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ସହ ଥିଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭାରତ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲିପ ତିର୍କୀ ।
ଆୟୋଜିତ ହୋଇଥିବା ଏହି ଚିତ୍ର କଳା ପ୍ରଦର୍ଶନ ଦେଖିବା ପାଇଁ ବହୁ ଲୋକଙ୍କ ଗହଳି ଜମୁଛି । ଦେଖିବାକୁ ଆସୁଥିବା ଲୋକମାନେ ଏହାକୁ ପ୍ରଂଶସା କରିବା ସହ ହକିପ୍ରତି ଥିବା ରୁଚି ବଢ଼ିଯାଇଥିବା କହୁଛନ୍ତି । ଏହି ପ୍ରଦର୍ଶନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସବୁଠାରୁ ଭଲ ଚିତ୍ର କରିଥିବା ଚିତ୍ରକରଙ୍କୁ ଆସନ୍ତା ୨୯ ତାରିଖରେ ଇଟିକିଲି ମିଟିକିଲି ପକ୍ଷରୁ ଆୟୋଜନ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ପୁରଷ୍କାର ପ୍ରଦାନ କରାଯିବ ।