ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବହୁ ଦିନର ବ୍ୟବଧାନ ପରେ ଏବେ ଓଡିଶା ଫେରିବେ ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ । ଦୁହେଁ ଭାଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ମାତ୍ର ଏବେ ତାଙ୍କୁ ଓଡିଶା ଆଣିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗାମୀ ସାତ ଦିନ ମଧ୍ୟରେ ନିଷ୍ପତି ନିଆଯିବ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।
ଦିଲ୍ଲୀ ଏମ୍ସ ପରେ ଜଗା-କାଳିଆଙ୍କ ଚିକିତ୍ସା ଭୁବନେଶ୍ୱର ଏମ୍ସରେ ହେବ ବୋଲି ଜାଣିବାକୁ ମିଳିଥିଲା । ମାତ୍ର ଭୁବନେଶ୍ୱର ଏମ୍ସ ପକ୍ଷରୁ ଅସମର୍ଥତା ପ୍ରକାଶ କରାଯିବା ପରେ ଦୁହେଁ ଭାଇଙ୍କୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ସ୍ପଷ୍ଟ କରିଛି ।
ଦୁଇ ବର୍ଷ ପୂର୍ବେ ତଥା ୨୦୧୭ ମସିହାରେ କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଶିଶୁଙ୍କୁ ଚିକିତ୍ସା କରିବା ଲାଗି ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରୀ ଟିମ୍ ସଫଳତାର ସହ ଜଗା-କାଳିଆଙ୍କ ଅସ୍ତ୍ରୋପଚାର କରିଥିଲେ । ମାତ୍ର ଅସ୍ତ୍ରୋପଚାର ପରେ ଦୁଇ ଭାଇଙ୍କୁ ଅଲଗା କରାଯିବା ପରେ ସେମାନଙ୍କ ମଧ୍ୟରୁ ଖୁବ୍ ଶୀଘ୍ର ଜଗାର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥିବା ବେଳେ କାଳିଆର ସ୍ୱାସ୍ଥ୍ୟରେ ଉନ୍ନତି ହେବା ପାଇଁ ସମୟ ଲାଗିଥିଲା ।