ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୧ ତାରିଖ ଅର୍ଥାତ ଶୁକ୍ରବାରଦିନ ମହାଶିବ ରାତ୍ରି ପଡୁଥିବାରୁ ରାଜ୍ୟରେ ଥିବା ସମସ୍ତ ଶୈବାଳୟଗୁଡିକରେ ସମସ୍ତ ପ୍ରକାରର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ବଡ ବଡ ଶୈବ ପୀଠ ଗୁଡିକୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବ ପୀଠ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ଅଧିକ ସଂଖ୍ୟାକ ଭକ୍ତ ଆସୁଥିବାରୁ ସେମାନଙ୍କର ସୁରକ୍ଷା ସହ ନୀତିକାନ୍ତିରେ ଯେପରି କୌଣସି ଅସୁବିଧା ନହେବ ସେଥି ନିମନ୍ତେ ପୋଲିସ ପ୍ରଶାସନ ଓ ସେବାୟଙ୍କ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଗବାନଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତ ଯେପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେଥି ନିମନ୍ତେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦିଆଯାଇଛି ।
କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ଏହି ବୈଠକରେ ଆଇନ ଶୃଙ୍ଖଳା ସହ ଟ୍ରାଫିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଭକ୍ତମାନେ ବ୍ୟାରିକେଟ ଦେଇ ଆସିବା ପରେ ସିଂହଦ୍ୱାରରେ ପ୍ରବେଶ କରିବେ । ତେବେ ସେବାୟତଙ୍କ ପରିବାର ସଦସ୍ୟ ମନ୍ଦିରର ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ସୌନ୍ଦର୍ଯ୍ୟକରଣ ନିମନ୍ତେ ମନ୍ଦିର ଚତୁପାଶ୍ୱର୍ ଭଙ୍ଗା ଯାଇଥିବାରୁ ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତାର କାମକୁ ୨୦ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ବଢେଇବାଙ୍କ ଛକ, ଗ୍ୟାରେଜ ଛକ, ଖରାଖିଆ ବୈଦନାଥ ଛକ, ନୂଆ ଲିଙ୍ଗରାଜ ମାର୍କେଟଠାରୁ ରାସ୍ତା ସିଲ୍ କରାଯିବ ବୋଲି କୁହାଯାଇଛି। ଏହାସହ ଯାନବାହାନ ପାର୍କଂ କରିବା ନିମନ୍ତେ ୧୪ଟି ସ୍ଥାନ ଚିହ୍ନଟ କରାଯାଇଛି । ମନ୍ଦିରର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ନିମନ୍ତେ ୩୨ଟି ସିସିଟିଭି କ୍ୟାମେରା ଲଗାଯିବା ସହ ବହୁ ସାଧା ପୋଷାକଧାରୀ ପୋଲିସ ଅଧିକାରୀଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ କରାଯିବ । ଅନ୍ୟପଟେ ମହାଦୀପକୁ ରାତି ୧୦ଟାରେ ଉଠିବା ନେଇ ନୀତି ନିର୍ଘଣ୍ଟ କରାଯାଇଛି ।
ଏହି ବୈଠକରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଡିସିପି ଅନୁପ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଟ୍ରାଫିକ ଡିସିପି ସାଗରିକା ନାଥଙ୍କ ସମେତ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ବ୍ରାହ୍ମଣ ନିଯୋଗ ଓ ପୂଜା ନିଯୋଗର ପ୍ରତିନିଧି ଉପସ୍ଥିତ ନଥିବାରୁ ଚର୍ଚ୍ଚା ଲାଗି ରହିଥିଲା । ବ୍ରାହ୍ମଣ ନିଯୋଗ ସାମିଲ ନଥିଲେ ମଧ୍ୟ ସମସ୍ତ ନୀତିକାନ୍ତରେ ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି । ତେବେ ଏକଜିକ୍ୟୁଟିଭ ଅଫିସରଙ୍କ ବଦଳି ହୋଇସାରିଥିଲେ ବି ସ୍ଥାନାନ୍ତର ହୋଇନାହାନ୍ତି । ତାଙ୍କର ବଦଳି ଓ ପୂର୍ବରୁ ଥିବା ପରମ୍ପରାକୁ ଫେରାଇ ଆଣିବା ପାଇଁ ସମିତି ଦାବି କରୁଛି ।