ବଲାଙ୍ଗୀର (ଏଟିଆର ବ୍ୟୁରୋ); ଆମ ଜୀବନ ପ୍ରତି ବିପଦ ଅଛି । ଆମକୁ ସୁରକ୍ଷା ଦରକାର । ଜେଇ ଜୟକାନ୍ତଙ୍କ ପତ୍ନୀ ପ୍ରବୀଣା ରାଜସିଂହ ଆଜି ଏଭଳି ଗଣମାଧ୍ୟମକୁ କହିଛନ୍ତି । ବିଧାୟକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୋଲିସ ଏବେ ସୁଦ୍ଧା କୌଣସି ପଦକ୍ଷେପ ନେଇ ନାହିଁ । ପୋଲିସ ଚୁପ ବସିବା ଆମକୁ ଯେତିକି ଦୁଃଖ ଲାଗୁଛି ତାଠାରୁ ଅଧିକ ଭୟ ଲାଗୁଛି ।
ସୂଚନାଯୋଗ୍ୟ, ପାଟଣାଗଡ ନବ ନିର୍ବାଚିତ ବିଧାୟକ ସରୋଜ ମେହେର ଜୟକାନ୍ତ ପ୍ରଧାନଙ୍କୁ ବସ ଉଠ କରାଇଥିଲେ । ବେଲପଡା ବ୍ଳକରେ ଏକ ରାସ୍ତା କାମ ଖରାପ ହୋଇଥିବାରୁ ଜନ ସାଧାରଣଙ୍କ ଆଗରେ ବସ ଉଠ କରାଇଥିଲେ ବିଧାୟକ । ବସ ଉଠ ନହେଲେ ମାଡ ମାରିବା ପାଇଁ ମଧ୍ୟ କହିଥିଲେ । ତେବେ ମାଡ ଭୟରେ ଜୟକାନ୍ତ ୧୦୦ଥର ବସ ଉଠ ହୋଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ପରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।
ଜେଇଙ୍କ ପତ୍ନି ଥାନାରେ ବିଧାୟକଙ୍କ ବିରୋଧରେ ଏତଲା ଦେଇଥିଲେ । ବିଧାୟକ ତାଙ୍କ ସ୍ୱାମୀଙ୍କୁ ଜାତିଆଣ ଆକ୍ଷେପ ସହ ଶାରୀରିକ ନିର୍ୟାତନା ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। ବିଭିନ୍ନ ବର୍ଗରୁ ସମାଲୋଚିତ ହେବା ପରେ ଗତକାଲି ବିଧାୟକ ସରୋଜ ମେହେର ଏ ଘଟଣା ନେଇ ଦୁଃଖ ପ୍ରକାଶ କରିଥିବା ବେଳେ ତାଙ୍କର ଆଉ କିଛି ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ସହିତ ରାଜ୍ୟ ଡିପ୍ଲୋମା ଇଞ୍ଜିନିୟରର୍ସ ସଂଘ ଦାବି କରିଛି।