ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଇସ୍ତଫା ଦେଲେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ । ବିଧାନସଭା ସ୍ୱାଧିକାର କମିଟିରୁ ସେ ଆଜି ଇସ୍ତଫା ଦେଇଥିବା ସୂଚନା ମିଳିଛି । ଜଗୀ ମଙ୍ଗତପଣ୍ଡାଙ୍କୁ ସ୍ୱାଧିକାର କମିଟି ନୋଟିସ ଦିଆଯିବା କାରଣରୁ ସେ ଏହି ଇସ୍ତଫା ଦେଇଛନ୍ତି । ଏନେଇ ଶ୍ରୀ ସିଂହଦେଓ ନିଜେ ବାଚଷ୍ପତି ପ୍ରଦୀପ କୁମାର ଅମାତଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି ଯେ, ସ୍ୱାଧିକାର ଭଙ୍ଗ ନେଇ ତାରା ବାହିନୀପତି ନୋଟିସ କରିଥିଲେ । ସେ କେଉଁଠି ବି ଜଗି ମଙ୍ଗତ ପଣ୍ଡାଙ୍କୁ ସମନ କରିବାକୁ କହିନଥିଲେ । ତେବେ ବାସ୍ତବରେ ଯାହା ଘଟିଥିଲା ସେଥିରେ ମୁଖ୍ୟତଃ ଖବର ସଂଗ୍ରହ କରୁଥିବା ରିପୋର୍ଟର ଓ ସମ୍ପାଦକଙ୍କୁ ଏହି ସମନ ଜାରି କରାଯିବା କଥା । ହେଲେ ଜଣାଶୁଣା ମହିଳା ଶିଳ୍ପଦ୍ୟୋଗୀ ଜାଗି ମଙ୍ଗତ ପଣ୍ଡାଙ୍କୁ ସମନ କରାଯିବା ଘଟଣା ରାଜନୈତିକ ଉଦ୍ଦେଶ୍ୟ । କେବଳ ଏତିକି ନୁହେଁ ଜଗିଙ୍କୁ ସର୍ବସାଧାରଣରେ ହଇରାଣ କରାଯିବା ମହିଳା ବିରୋଧୀ ମଧ୍ୟ ବୋଲି ଶ୍ରୀ ସିଂହଦେଓ ଇସ୍ତଫା ପତ୍ରରେ ଉଲ୍ଳେଖ କରିଛନ୍ତି । ସେ ଏହାମଧ୍ୟ ଉଲ୍ଲେଖ କରିଛନ୍ତି ସ୍ୱାଧିକାର କମିଟି ଅଧ୍ୟକ୍ଷଙ୍କ ଏଭଳି କାରବାର ପଛରେ ରାଜନୈତିକ ଗନ୍ଧ ବାରିହୋଇପଡୁଛି ।
ତେଣୁ ସେ ଏହି କମିଟିରେ ରହିବାକୁ ଚାହୁଁନଥିବା କହି ଇସ୍ତଫା ଦେଇଛନ୍ତି କେଭି । ସୂଚନାଯୋଗ୍ୟ, ଜାନୁଆରୀ ୨୧ରେ ସ୍ୱାଧିକାର କମିଟିର ପ୍ରଥମ ବୈଠକ ବସିଥିଲା । ଯେଉଁଥିରେ ଜଗି ମଙ୍ଗତଙ୍କୁ ନୋଟିସ କରାଯିବା ନେଇ ଆଲୋଚନା ହୋଇଥିଲା । ବ୍ୟକ୍ତିଗତ ଭାବେ ହାଜର ହୋଇ ୭ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ ମହଲତ ଦିଆଯାଇଥିଲା ।