ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ ମାସ । ଏହି ଅବସରରେ ଆଜି ସକାଳୁ ସକାଳୁ ବିଭିନ୍ନ ଦେବା ଦେବୀଙ୍କ ମନ୍ଦିର ଚଳ ଚଞ୍ଚଳ ହୋଇ ପଡିଛି । ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସରେ ମାସ ସାରା ହନ୍ଦୁ ଧର୍ମରେ ଆମିଷ ନିଷେଧ ହୋଇଥାଏ । ସେହିଭଳି ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ହବିଷ୍ୟାଳି ମାନେ ହବିଷ୍ୟାନ୍ନ ପାଳିବେ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ହବିଷ୍ୟାଳିଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସେମାନଙ୍କ ଖାଇବା ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ହବିଷ୍ୟାଳିମାନେ ଶ୍ରୀମନ୍ଦିରକୁ ପ୍ରତିଦିନ ଯିବା ପାଇଁ ବସର ବ୍ୟବସ୍ଥା, ଆଶ୍ରୟ ସ୍ଥଳୀରେ ମହାପ୍ରସାଦ ସେବନ, ସନ୍ଧ୍ୟା ବେଳେ କାର୍ତ୍ତିକ ବ୍ରତ ସମ୍ପର୍କିତ ପାଲା, ସାଂସ୍କୃତିକ କାର୍ୟ୍ୟକ୍ରମ ସବୁଦିନ ଅନୁଷ୍ଠିତ ହେବ ।
ହବିଷ୍ୟାଳି ଶିବିର ଗୁଡ଼ିକରେ ଶୌଚାଳୟ, ପାନୀୟଜଳ, ଅଗ୍ନି ନିର୍ବାପକ, ପୋଲିସ ସୁରକ୍ଷା ବ୍ୟବସ୍ଥା ରହିବ । କେବଳ ଯେ ଶ୍ରୀକ୍ଷେତ୍ରରେ ଯେ ହବିଷ୍ୟାଳିଙ୍କ ଭିଡ ହୋଇଛି ତା ନୁହେଁ ଅନ୍ୟ ଧର୍ମାନୁଷ୍ଠନ ମାନଙ୍କରେ ମଧ୍ୟ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଛି ।