କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ) : କେନ୍ଦ୍ରାପଡା ସ୍ୱାଧୀନ ବିଧାନସଭା ପ୍ରାର୍ଥୀ ସିପ୍ରା ମଲ୍ଲିକ ଆଜି ତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି । କେନ୍ଦ୍ରାପଡା ବିଧାନସଭା ଟିକେଟ ପାଇଁ ଆଶାୟୀ ଥିବା ସିପ୍ରା ମଲ୍ଲିକ ଗତ କାଲି ବିଜେଡିର ଟିକେଟ ବଣ୍ଟାରେ ଅସନ୍ତୋଷ ଜାହିର କରି ଶଶିଭୂଷଣଙ୍କ ନାମାଙ୍କନ ବେଳେ ସ୍ୱାଧୀନରୁ ନାମାଙ୍କନ କରିଥିଲେ । ଯାହାକୁ ନେଇ ଗତ କାଲି ଠାରୁ କେନ୍ଦ୍ରାପଡାରେ ଚର୍ଚ୍ଚା ଲାଗି ରହିଥିଲା । ଅନ୍ୟପଟେ ଟିକେଟ ବଣ୍ଟାକୁ ନେଇ ପୂର୍ବତନ ବିଧାୟକ କିଶୋର ତରେଇ ଅସନ୍ତୋଷ ଥିବା ବେଳେ ସିପ୍ରାଙ୍କ ନାମାଙ୍କନ ଅଡୁଆରେ ପକାଇଥିଲା ବିଜେଡକୁ ।
ସେହିଭଳି କିଶୋର ତରାଇଙ୍କ ସମର୍ଥକ ମାନେ ମଧ୍ୟ କେନ୍ଦ୍ରାପଡାରେ ଶଶିଭୂଷଣ ବେହେରାଙ୍କୁ ବିରୋଧ କରିଥିଲେ । ଯେଉଁଥି ପାଇଁ ଆସନ୍ତା କାଲି ଠାରୁ ଅତନୁ ସବ୍ୟସାଚୀ ନାୟକ କିଶୋର ଓ ସିପ୍ରାଙ୍କୁ ମନେଇବା ପାଇଁ ଚେଷ୍ଟା କରିଥିଲେ । ଯାହାର ସଫଳତା ଆଜି ମିଳିଛି ବିଜେଡିକୁ । ଏହି ଅବସରରେ ବିଜେଡି ନେତାଙ୍କ ସହିତ ଆଜି ନବୀନ ନିବାସରେ ଏକ ହୋଇଥିଲେ କିଶୋର, ସିପ୍ରା ଓ ଶଶି । ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସମସ୍ୟାର ସମାଧାନ ହୋଇଛି । କେନ୍ଦ୍ରାପଡା ବିଜେଡିରେ ଆସିଛି ଟ୍ୱିଷ୍ଟ । ସିପ୍ରା ମଲ୍ଲିକଙ୍କ ସମେତ କିଶୋର ତରାଇ ମଧ୍ୟ ଶଶିଭୂଷଣଙ୍କୁ ସମର୍ଥନ କରିବାକୁ ରାଜି ହୋଇଛନ୍ତି । ସିପ୍ରା ମଲ୍ଲିକ ସ୍ୱାଧୀନ ଭାବେ ନାମାଙ୍କନ କରିଥିବା ପ୍ରାର୍ଥୀ ପତ୍ରକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି ।
ଏହି ଅବସରରେ ସିପ୍ରା ମଲ୍ଲିକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି- କେନ୍ଦ୍ରପଡାରେ ମୁଁ ଶଶିଭୂଷଣଙ୍କୁ ସମର୍ଥନ କରିବି । ସେ ବିଧାୟକ ହେଲେ ମଧ୍ୟ ମୁଁ ତାଙ୍କ ସହିତ ରହି ମୋ ନିର୍ବାଚନ ମଣ୍ଡଳିବାସୀଙ୍କ ପାଇଁ କାମ କରିବି । ଦଳ ଯାହା ନିଷ୍ପତି ନେଇଛି ତାକୁ ସମର୍ଥନ କରିବି । ଆମେ ଏକାଠି ହୋଇ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀଙ୍କୁ ଜିତେଇ ଆଣିବୁ ବୋଲି କହିଛନ୍ତି । ସେହିପରି ପୂର୍ବରୁ ଟିକେଟ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ଥିବା କିଶୋର ତରାଇ ମଧ୍ୟ ଶଶିଭୂଷଣ ବେହେରାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।