ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସରିଲା ଅଘୋଷିତ ଅପେରା ୱାର । ଦୀର୍ଘ ୧୧ ଦିନ ହେଲା ଚାଲିଥିବା ଖଣ୍ଡଗିରି ଅପେରା ମହାକୁମ୍ଭ ଗତକାଲି ଶେଷ ହୋଇଛି । ଗତକାଲି ଶେଷ ରଜନୀରେ ସବୁ ଅପେରା ପାର୍ଟି ପୁଣି ନାଟକକୁ ରିପିଟ କରିଥିଲେ । ଗତକାଲି ମଧ୍ୟ ସବୁ ଅପେରା କ୍ୟାମ୍ପରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଗତକାଲି ଶେଷ ଦିନରେ ଶେଷ ସୁଯୋଗ ଛାଡି ନଥିଲେ ଦର୍ଶକ । ଗତକାଲି ରବିବାର ହୋଇଥିବାରୁ ମେଳାରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ସକାଳ ବେଳା ଅପେକ୍ଷା ଅପରାହ୍ନରେ ଭିଡ ଅଣ ଆୟତ୍ତ ହୋଇ ଯାଇଥିଲା । ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ୪ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଥିଲେ ।
ସେହିଭଳି ଗତକାଲି ମହାତାବ ପେଣ୍ଡାଲ ପକ୍ଷରୁ କଳାକାର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିବା ଦେଖିବାକୁ ମିଳିଥିଲା । ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା , ପୂର୍ବତନ କର୍ପୋରେଟର ଅଶ୍ୱିନୀ ସୁନ୍ଦର ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତେବେ ଆଜି ସକାଳୁ ଯାତ୍ରା ଦଳମାନେ ଓ ଉଠାଦୋକାନୀ ମାନେ ସେମାନଙ୍କ କ୍ୟାମ୍ପ ଭାଙ୍ଗିବା ପରେ ଏବେ ଖାଁ ଖାଁ ହୋଇ ପଡିଛି ଖଣ୍ଡଗିରି । ଚାରି ଆଡେ ସୂନସାନ ହୋଇ ପଡିଛି । ଖାଲି ବାଉଁଶ ଟେଣ୍ଟ ରେ ମୁକୁଳା ପଡିଛି ବିଭିନ୍ନ ପେଣ୍ଡାଲ ।