ଯାଜପୁର (ଏଟିଆର ବ୍ୟୁରୋ ) ; ଗୋଇଠା ମାଡରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ । ବଚସାରୁ ସୃଷ୍ଟି ହୋଇଥିବା ଝଗଡା ଶେଷରେ ମହଙ୍ଗା ପଡିଲା । ତଳିପେଟରେ ଯନ୍ତ୍ରଣା ସାଙ୍ଗକୁ ରକ୍ତବାନ୍ତି କରି ପ୍ରାଣ ହରାଇଲେ ଜଣେ ନିରୀହ ବ୍ୟକ୍ତି । ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜାରକା ଅଞ୍ଚଳର ଟିକର ସାହିରେ ଘଟିଛି । ମୃତକ ଜଣକ ହେଲେ ସନାତନ ସାମଲ ।
ସୂଚନା ଅନୁଯାଇ , ଗତକାଲି ସନ୍ଧ୍ୟା ସମୟରେ ଶଙ୍ଖାରିଡିହ ବଜାରରେ ସନାତନଙ୍କ ସହ କିଛି ଦିନ ତଳେ ଜେଲରୁ ଫେରିଥିବା ଧର୍ମଶାଳା ଅଞ୍ଚଳର ଗିରି ମଣ୍ଡଳଙ୍କ ଦେଖା ହୋଇଥିଲା । ସେମାନଙ୍କ ମଧ୍ୟରେ କୌଣସି ଏକ କାରଣରୁ ପ୍ରଥମେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ସନାତନଙ୍କ ଉପରେ ରାଗିଯାଇ ଗିରି ତାଙ୍କୁ ଏକେ ଗୋଇଠା ମାରିଥିଲା । ଏହାପରେ ଯନ୍ତ୍ରଣା ଯୋଗୁ ସନାତନ ଘରକୁ ପଳାଇଯାଇଥିଲେ । ତେବେ ଘରେ ସନାତନଙ୍କ ପେଟ ଯନ୍ତ୍ରଣା ଅଧିକ ବଢିବା ସହ ରକ୍ତବାନ୍ତି ହୋଇଥିଲା । ଏଭଳି ଯନ୍ତ୍ରଣା ଦେଖି ତାଙ୍କୁ ଗୁରୁତର ଅବସ୍ତାରେ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାକୁ ନେଇଯାଇଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନାଯୋଗ୍ୟ, ଗିରି ମଣ୍ଡଳ ତା’ ସ୍ତ୍ରୀକୁ ହତ୍ୟା କରିଥିଲା। ଏହି ମାମଲାରେ ସେ ସଜା କାଟି ୨ ବର୍ଷ ହେବ ଜେଲ୍ରୁ ଖଲାସ ହୋଇଛି।
ସେପଟେ ଅଭିଯୁକ୍ତ ଗିରି ମଣ୍ଡଳଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଏକ ଘଣ୍ଟା ଧରି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସେମାନେ ମୃତକଙ୍କ ଶବ ରାସ୍ତାଉପରେ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଏକ ଘଣ୍ଟା କାଳ ରାସ୍ତାରେ ବହୁ ଗାଡି ଅଟକିରହିଥିଲେ । ଅନ୍ୟପଟେ ପୋଲିସ ଘଟଣା ସ୍ଥଳେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୋଲିସ ଅଭିଯୁକ୍ତ ଗିରି ମଣ୍ଡଳକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।