ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ବିଧାନସଭାରେ ଜଗଦଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ ହୋଇଛି । ଗତକାଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ବିଲ୍ କୁ ଗୃହରେ ଆଗତ କରିଥିଲେ । ଯାହାକୁ ବିରୋଧି ଦଳର ନେତା ମାନେ ବିରୋଧ କରିଥିଲେ । ତେବେ ଆଜି ଏହି ବିଲ୍ ଉପରେ ଆଲୋଚନା କରିବାକୁ ସରକାର ଅଡି ବସିଥିଲେ । ବାଚସ୍ପତି ବାଚନିକ ଭୋଟରେ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏହି ବିଲ୍ କୁ ବିରୋଧ କରିଥିଲେ । ସେମାନଙ୍କର କହିବାର କଥା ସରକାର ଏହି ବିଲ୍ କୁ ପଢିକି ବୁଝିବା ପାଇଁ ସମୟ ଦେଉନାହାଁନ୍ତି ।
ଅନ୍ୟପଟେ ମନ୍ତ୍ରୀ ଅରୁଣ ସାହୁ ବିଲ୍ ଉପରେ ଆଲୋଚନା କରି କହିଥିଲେ ଯେ, ସରକାର ସବୁ ବେଳେ ଉଚ୍ଚତର ଶିକ୍ଷା ପାଇଁ ଗୁରୁତ୍ୱ ଦେଉଛିନ୍ତି । ରାଜ୍ୟରେ ବିଶ୍ୱ ସ୍ତରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ହିଁ ଏହା ସମ୍ଭବ ହୋଇପାରିବ । କଟକ ଜିଲ୍ଲାର ଡମପଡ଼ା ତହସିଲ ଅଞ୍ଚଳରେ ଏକ ସେଲ୍ଫ୍ ଫାଇନାନ୍ସିଂ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଚାହୁଁଛି । ଏହି ବିଶ୍ୱବିଦ୍ୟାଳୟ ଐତିହାସିକ ଆଧ୍ୟାତ୍ମିକ ଶିକ୍ଷାଦାନ ସହିତ ଯୋଗ, ବିଜ୍ଞାନ, କଳା, ଆୟୁର୍ବେଦ, ଭାରତୀୟ ସଂସ୍କୃତି, ଆଦି ଉପରେ ଉଚ୍ଚମାନର ଶିକ୍ଷାଦାନ କରିବ । ତେଣୁ ଏହାକୁ ବିରୋଧ ନକରାଯାଇ ପାରିତ କରାଯାଉ ।