ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାପ୍ରଭୁ ଜଗନ୍ନାଥଙ୍କର ସମ୍ପତି ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ମନରେ ବ୍ୟଗ୍ରତା ପ୍ରକାଶ ପାଉଥିବା ବେଳେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହା ଉପରେ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀ ମହାପ୍ରଭୁଙ୍କ ଲିଖିତ ଉତ୍ତରରେ ମହାପ୍ରଭୁଙ୍କର ମୋଟ ପାଣ୍ଠିର ପରିମାଣ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ମନ୍ତ୍ରୀଙ୍କର କହିବା ଅନୁଯାୟୀ, ମହାପ୍ରଭୁଙ୍କର ମୋଟ ପାଣ୍ଠିର ମୂଲ୍ୟ ୬୨୬କୋଟି ୪୪ଲକ୍ଷ ୭୮ହଜାର ୪୪ଟଙ୍କା ଅଟେ । ଏହାସହ ଏବେବି ଘରୋଇ ବ୍ୟାଙ୍କ ୟେସ ବ୍ୟାଙ୍କରେ ୫୪୫କୋଟି ଟଙ୍କା ରହିଛି ।
ମହାପ୍ରଭୁଙ୍କର ୫୯୨କୋଟି ଟଙ୍କା ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ ବ୍ୟାଙ୍କରେ ଜମା ଥିଲା । ସେଥିମଧ୍ୟରୁ ସ୍ଥାୟୀ ଜମାରେ ୫୪୫କୋଟି ଟଙ୍କା ଥିବା ବେଳେ ୪୭କୋଟି ଟଙ୍କା ଫ୍ଲେକ୍ସିରେ ଜମା ରହିଥିଲା । ତେବେ ଇତି ମଧ୍ୟରେ ଫ୍ଲେକ୍ସି ଜମା ୟେସ ବ୍ୟାଙ୍କରୁ ୪୭କୋଟି ଟଙ୍କା ପ୍ରତ୍ୟାହାର ହୋଇଛି । ସେହିପରି ଆସନ୍ତା ମାର୍ଚ୍ଚ ୧୯ ଓ ୩୦ତାରିଖରେ ବାକି ୫୪୫କୋଟି ଟଙ୍କା ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କର ରାଜ୍ୟର ୨୪ଟି ଜିଲ୍ଲାରେ ମୋଟ ୬୦୪୨୬.୯୪୩ ପରିମତ ଜମି ରହିଛି ।
ସେଥିମଧ୍ୟରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାଖରେ ୩୪ ୮୦୩.୦୧୩ ପରିମିତ ଜମିର ଚୂଡାନ୍ତ ସତ୍ତ୍ୱଲିପି ପ୍ରାପ୍ତି ହୋଇଛି । ଖାଲି ଓଡିଶା ନୁହେଁ ଓଡିଶା ବାହାରେ ମଧ୍ୟ ୭ଟି ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କର ଭୂସଂପତ୍ତି ରହିଛି । ବାହାର ରାଜ୍ୟରେ ମୋଟ ୩୯୫.୨୫୨ଏକର ଜମି ରହିଛି । ତେବେ ଓଡିଶା ପରେ ସର୍ବାଧିକ ପଶ୍ଚିମବଙ୍ଗରେ ସର୍ବାଧିକ ଜମି ଥିବା ବେଳେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର, ଛତିଶଗଡରେ ମହାପ୍ରଭୁ ଜଗନ୍ନାଥଙ୍କର ଜମି ରହିଛି ।