ଗଞ୍ଜାମ (ଏଟିଆର ବ୍ୟୁରୋ) ; ଘରେ ପଶି ଲୁଟିନେଲେ ସବୁ କିଛି । ଧନ ଗଲା ଇଜ୍ଜତ ବି ଗଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ବାଲି ସାହି ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ତିନି ଜଣ ଯୁବକ ଚୋରି କରିବାକୁ ଆସି ଥିଲେ । ଘରେ ଶୋଇଥିବା ଅବସ୍ଥାରେ ଘରୁ ସୁନା ଗହଣା, ଟଙ୍କା ସବୁ କିଛି ଚୋରି କରି ନେଇଥିଲେ । ତେବେ କେବଳ ସୁନା ଗହଣାରେ ଏମାନଙ୍କ ମନ ବୁଝିନଥିଲା । ଘର ଭିତରେ ଶୋଇଥିବା ନାବାଳିକା ଉପରେ ପାପ ଦୃଷ୍ଟି ପଡିଥିଲା ଏହି ଚୋର ମାନଙ୍କର । ଏଣୁ ଏମାନେ ଆସିଥିବା ୩ ଜଣ ଚୋର ନାବାଳିକାକୁ ଘରୁ ଉଠେଇ ନେଇ ଗାଁ ଠାରୁ କିଛି ଦୁରରେ ଥିବା ଏକ ନିଛାଟିଆ ଜାଗାରେ ଦୁଷ୍କର୍ମ କରିଥିଲେ ।
ଦୁଷ୍କର୍ମ କରିବା ପରେ ନାବାଳିକାକୁ ସେଠାରେ ଛାଡି ପଳେଇଥିଲେ ଏହି ଚୋର ମାନେ । ତେବେ ଖବର ପାଇବା ପରେ ପରିବାର ଲୋକ ନାବାଳିକାକୁ ଉଦ୍ଦ଼ାର କରି ବ୍ରହ୍ମପୁର ବଡ ମେଡିକାଲରେ ଭତ୍ତି କରିଛନ୍ତି । ନାବାଳିକା ଜଣଙ୍କ ଗୁରୁତର ଅବସ୍ଥାରେ ଥିବା କହିଛନ୍ତି ପରିବାର ଲୋକ । ଏହି ଘଟଣା ପ୍ରଚାର ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ପିଡିତାର ପରିବାର ଥାନାରେ ଏତଲା ଦେବା ପରେ ପୋଲିସ ଏହି ଚୋର ମାନଙ୍କୁ ଧରିବା ପାଇଁ ତନାଘନା ଜାରୀ ରଖିଛି । ଆଇନ ଅନୁଯାୟୀ ଏହି ଚୋର ମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି ।