ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ କର୍ମଶାଳାର ଆଜି ଉଦଯାପନୀ ଦିବସ । ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇନ ଶୃଂଖଳା ପରିଚାଳନାରେ ପୋଲିସର ଭୂମିକା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ନବୀନ । ଏହା ସହ ହକି ବିଶ୍ବକପ୍ ପରିଚାଳନାକୁ ନେଇ ମଧ୍ୟ ରାଜ୍ୟ ପୋଲିସକୁ ପ୍ରଶଂସା କରିବା ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଆରକ୍ଷୀ ଆପ୍ର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରାଜ୍ୟର ସବୁ ଥାନାକୁ ଖୁବଶୀଘ୍ର କମ୍ପ୍ୟୁଟର ଟ୍ୟାବ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସାଇବର ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି । କର୍ମଶାଳାରେ ରାଜ୍ୟ ବାହାରୁ ଆସିଥିବା ବିଶେଷଜ୍ଞ ଟିମ ପୋଲିସକୁ ଟ୍ରେନିଂ ଦେଉଛନ୍ତି । କର୍ମଶାଳାର ପ୍ରଥମ ଦିନରେ ଗୁଇନ୍ଦା ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।ଦ୍ୱିତୀୟ ଦିନରେ ସାଇବର ଅପରାଧ ଓ ନିୟନ୍ତ୍ରଣ, ସଡ଼କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏଥିରେ ସବୁ ଜିଲ୍ଳାର ଏସପି, ରେଞ୍ଜ ଆଇଜି, ଡିଆଇଜି, କଟକ-ଭୁବନେଶ୍ୱର ଡିସିପି, ପ୍ରଶିକ୍ଷଣରେ ଥିବା ଆଇପିଏସ ଅଫିସରଙ୍କ ସମେତ ହୋମଗାର୍ଡ, ଅଗ୍ନିଶମ ବିଭାଗ, ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି ।