ମାଲକାନଗିରି (ଏଟିଆର ବ୍ୟୁରୋ): ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲି ପଞ୍ଚାୟତ ଅର୍ନ୍ତଗତ ଗାଜିଆଗୁଡା ଗ୍ରାମରେ ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୁହାହୋଇଛନ୍ତି ରୋଗୀ ।
ଗତ ୫ ଦିନ ହେବ ଝାଡା ବାନ୍ତିରେ ପିଡୀତ ଥିଲେ ଲକ୍ଷଣ ପାଙ୍ଗି ନାମକ ଜଣେ ଆଦିବାସୀ ବ୍ୟକ୍ତି । ଆଜି ସକାଳୁ ଆଚାନକ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାସ୍ତା ଖରାପ ଯୋଗୁଁ ରୋଗୀଙ୍କ ପାଖରେ ପହଁଚି ପାରିନଥିଲା ଆମ୍ବୁଲାନ୍ସ । ଶେଷରେ ଗାଁ ଲୋକ ଏକାଠି ହୋଇ ଖଟିଆରେ ରୋଗୀକୁ ପକାଇ ନଦୀ ପାର ହୋଇ ୪ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୁହାଇ ହସ୍ପିଟାଲ ନେଇଯାଇଥିଲେ ।