ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତିଦିନ ଆମ ରାଜ୍ୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନେ ଖାଇଲେ ଆଉ ଦିନେ ଖାଇବାକୁ ପାଉନାହାନ୍ତି । ଗୋଟିଏ ପଟେ ଜଣେ ଖାଦ୍ୟ ପାଉନଥିବା ବେଳେ ଅନ୍ୟପଟେ ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଏହିଭଳି ସମୟରେ ବିଭିନ୍ନ ସ୍ୱଚ୍ଛା ସେବୀ ସଂଗଠନ ଆଗକୁ ଆସି ଅସାହ୍ୟ ଲୋକଙ୍କୁ ସହାୟତାର ହାତ ବଢାଉଛନ୍ତି । ଭୁବନେଶ୍ୱର ସ୍ଥିତ ‘ସୋ ଆମ ଆଇ (ସାଇ) ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ‘ହଙ୍ଗର ଫ୍ରି ଓଡିଶା’ ନାମକ ଏକ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ମାଧ୍ୟମରେ କ୍ଷୁଧା ଦୂରୀକରଣ କରିବା ସହ ତାଙ୍କ ମୁହଁରେ ହସ ଫୁଟେଇବା ଏହାର ମୂଳ ଲକ୍ଷ ଅଟେ ।
ଗତକାଲି କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ‘ହଙ୍ଗର ଫ୍ରି ଓଡିଶା’ର ୩ୟ ଫୁଡ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି । ଏଠାରେ ଦୁଇଟି ମୋବାଇଲ ଫୁଡ ବ୍ୟାଙ୍କ ଉଦଘାଟିତ ହେବା ସହ ଶ୍ରଦ୍ଧା ଅର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟପଦାର୍ଥ ପ୍ରଦାନ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଉଦଘାଟନି ସମାରୋହରେ ପୂର୍ବତନ ପୋଲିସ ଡିଜି ତଥା ଲୋକାଯୁକ୍ତ ସଦସ୍ୟ ଡ. ଆର. ପି. ଏର୍ମା, ବରିଷ୍ଠ ସାହିତିକ ଡ. ପ୍ରତିଭା ରାୟ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଓଡିଶା ପୋଲିସ ହାଉସିଂ କର୍ପୋରେଶନର ସିଏମଡି ଲଳିତ ଦାସ, ରୋଟାରୀ ଇଣ୍ଟରନ୍ୟାଶନାଲର ଅଜୟ ଅଗ୍ରୱାଲ ଏବଂ ସୌମ୍ୟରଞ୍ଜନ ମିଶ୍ର ଏବଂ ଟ୍ରଷ୍ଟର ପ୍ରତିଷ୍ଠାତା ପିନାକୀ ମହାନ୍ତି ପ୍ରମୁଖ ଫୁଡ ବ୍ୟାଙ୍କର ଉଦଘାଟନ କରିଥିଲେ ।
ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଫୁଡ ବ୍ୟାଙ୍କ ସେବା ସହରର ସମସ୍ତ ସ୍ଥାନ ଥିବା ଗରିବ ତଥା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବ । ଅନ୍ୟପଟେ ଶ୍ରଦ୍ଧା ଅର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ସହରରେ ଥିବା ବିଭିନ୍ନ ଆପାର୍ଟମେଣ୍ଟ, ସୋସାଇଟି ଓ ଘରଗୁଡିକୁ ସ୍ୱତନ୍ତ୍ର ବ୍ୟାଗ ଯୋଗାଇ ଦିଆଯାଇ ସେମାନଙ୍କଠାରୁ ଖାଦ୍ୟ ପଦାର୍ଥ ସଂଗ୍ରହ କରାଯିବ । ଏହି ଉଦଘାଟନି ଉତ୍ସବରେ ପ୍ରତିଷ୍ଠାତା ପିନାକୀ ମହାନ୍ତି ଓ ସହଯୋଗୀ ଚିଦାତ୍ମିକା ଖୁଟିଆ ୨୦୨୫ ସୁଦ୍ଧା ଏହା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ଏହି ଅବସରରେ ନିଶିକାନ୍ତ ମିଶ୍ର, ବିମଳେନ୍ଦୁ ମହାନ୍ତି, ତନୟା ପଟ୍ଟନାୟକ, ଧୀରେନ୍ଦ୍ର କର, ସରଦ ବୈଦ, ମାତୃଦତ୍ତ ମିଶ୍ର, ଶାଳିନୀ କୋଠକୋଣ୍ଡା, ଅମ୍ବିକା ନନ୍ଦ, ଶୁଭେନ୍ଦୁ ପରିଡ଼ା, ସୁବାସ ଚନ୍ଦ୍ର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।